କୋରୁଆ ଗ୍ରାମରେ ଘର ଓ ତିନି ଦୋକାନରୁ ଚୋରି
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଅଧିନ କୋରୁଆ ଗ୍ରାମରେ ଏକାଧିକ ଚୋରି ଘଟଣା ଘଟିଥିବା ଜଣାପଡିଛି। ଉକ୍ତ ଗ୍ରାମର ରୀନାରାଣୀ ବେହେରାଙ୍କ ଘର ସମେତ ମୁକ୍ତିକାନ୍ତ ସାହୁ, ଦିବାକର ମନ୍ଥନ ଓ ପ୍ରଶାନ୍ତ ବେହେରାଙ୍କ ଦୋକାନରୁ ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି।ଦୁର୍ବୃତ୍ତମାନେ ଦୋକାନ ଗୁଡ଼ିକର ତାଲା ଭାଙ୍ଗି ଭିତରକୁ ପଶି କିଛି ଟଙ୍କା ଲୁଟିନେଇ ଥିବା ବେଳେ ରୀନାରାଣୀ ବେହେରାଙ୍କ ଘରୁ ପ୍ରାୟ ନଗଦ ୪୦ ହଜାର ଟଙ୍କା ସହ ସୁନା ହାର,କାନଫୁଲ,ଚୁଡ଼ି ଆଦି ବିଭିନ୍ନ ସୁନା ଗହଣା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି।ଚୋରି ଘଟଣା ସମ୍ପର୍କରେ ଖବର ପାଇ ଧୂଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଅନ୍ୟ ଦୋକାନଗୁଡ଼ିକରୁ କେତେ ପରିମାଣର ଟଙ୍କା କିମ୍ବା ସାମଗ୍ରୀ ଚୋରି ହୋଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ଧୁଷୁରୀ ପୋଲିସ ଥାନା କେଶ ୪୪୩/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।


