କେନ୍ଦ୍ରାପଡାରେ ସାରଳା ବିଶ୍ୱଭାଷା ପଦଯାତ୍ରା ଅନୁଷ୍ଠିତ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ସାରଳା ଦାସ ଶାସ୍ତ୍ରୀୟ ଓଡିଆ ଭାଷା ବିକାଶ ଅଭିଯାନ ଓ ଏମ.ବି.ସି.ବୈଦୁତିକ ଗଣମାଧ୍ୟମ ପକ୍ଷରୁ ସାରଳା ବିଶ୍ୱ ଭାଷା ପଦଯାତ୍ରାର ନବମ ଦିବସରେ ଗୁରୁବାର ସକାଳେ କେନ୍ଦ୍ରାପଡା ସହରର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ ଠାରୁ ଏକ ପଦଯାତ୍ରା ବାହାରି କେଶପୁର ବଜାର, ସାନ୍ତସାହି, ମଢିଆଳ ଦେଇ ପୁରୁଣା ବସଷ୍ଟାଣ୍ଡରେ ପହଁଚି ଥିଲା । ଏହି ପଦଯାତ୍ରାକୁ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା.ବିରେନ୍ଦ୍ର କୁମାର ଦାସ,ଯୁବ ସାହିତ୍ୟିକ ମାତୃଦତ୍ତ ମହାନ୍ତି, ସି.ପି.ଆଇ.(ଏମ)ନେତା ଗୟାଧର ଧଳ, ରାଧାକାନ୍ତ ମହାନ୍ତି, ଧିରେନ୍ଦ୍ର କୁମାର ଦାସ, ବିଭୂତି ଭୂଷଣ କର, ଦେବାଶିଷ ସେନାପତି, ଭ୍ରମରବର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ତୁଳସୀ ମହିଳା ମହାବିଦ୍ୟାଳୟ,ସାନ୍ତସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମେତ ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ଓଡିଆ ଭାଷାର ଆନ୍ଦୋଳନ ପାଇଁ ବିଭିନ୍ନ ନାରାବାଜି ଦେଇ ପଦଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହି ଅବସରରେ ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି ଓ ପରମ୍ପରାର ସୁରକ୍ଷା ନିମନ୍ତେ ଛାତ୍ରଛାତ୍ରୀ,ସାହିତ୍ୟିକ ଓ ସମାଜସେବୀମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ପଦଯାତ୍ରାକୁ ଏମ.ବି.ସି.ଟିଭିର କେନ୍ଦ୍ରାପଡା ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ ଓ ମାର୍ଶାଘାଇ ପ୍ରତିନିଧି ହିମାଂଶୁ ଶେଖର ନାୟକ ପରିଚାଳନା କରିଥିଲେ ।


