ଆଉଟ୍‍ସୋର୍ସିଂ କର୍ମଚାରୀଙ୍କୁ ଇଏସ୍‍ଆଇରୁ ମିଳୁଥିବା ସୁବିଧା ସୁଯୋଗ ପ୍ରଦାନ ଦାବୀ

ଆସିକା (ୱାଇଏନ୍‍ଏସ୍‍) ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ଘରୋଇ ଠିକାଦାରଙ୍କ ଜରିଆରେ ଆଉଟସୋର୍ସିଂ ପଦ୍ଧତିରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ କର୍ମଚାରୀ ରାଜ୍ୟ ବୀମା ଯୋଜନା (ଇଏସ୍‍ଆଇ) ରେ ମିଳୁଥିବା ସୁବିଧାସୁଯୋଗ ପ୍ରଦାନ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ସଂସ୍ଥାରେ ବହୁ ଶିକ୍ଷତ ବେକାର ଯୁବକ ଆଉଟସୋର୍ସିଂ ପଦ୍ଧତିରେ ଘରୋଇ ଠିକାଦାରଙ୍କ ଜରିଆରେ ନିଷ୍ଠାର ସହ କାର୍ଯ୍ୟ କରିଆସୁଥିଲା ବେଳେ ସେମାନଙ୍କ ମଧ୍ୟରୁ ବହୁ ଠିକା ଶ୍ରମିକ ଇଏସ୍‍ଆଇରୁ ମିଳୁଥିବା ସୁବିଧାସୁଯୋଗରୁ ବଂଚିତ ହୋଇଆସୁଥିବା ଅଭିଯୋଗ ହେଉଛି । ଆସିକା ଅଞ୍ଚଳରେ ଘରୋଇ ଠିକା ଏଜେନ୍ସି ଆଉଟସୋର୍ସିଂ ପଦ୍ଧତିରେ କାର୍ଯ୍ୟ କରୁଥିବା ଶିକ୍ଷିତ ବେକାର ଯୁବକମାନଙ୍କ ମାସିକ ଦରମାରୁ ଇଏସ୍‍ଆଇ ବାବଦକୁ ୩.୨୫ ପ୍ରତିଶତ ଅର୍ଥ କାଟୁଥିଲେ ମଧ୍ୟ କେଉଁ କାରଣରୁ ଇଏସ୍‍ଆଇରୁ ମିଳୁଥିବା ବିଭିନ୍ନ ସୁବିଧାସୁଯୋଗ ପାଇବାରୁ ବଂଚିତ ହୋଇଆସୁଛନ୍ତି ତାହାର ଏକ ନିରପେକ୍ଷ ତଦନ୍ତ କରିବା ଜରୁରୀ ହୋଇପଡିଛି । ଏପରିକି କେତେକ ଆଉଟସୋର୍ସିଂ ଏଜେନ୍ସି ଜରିଆରେ କାର୍ଯ୍ୟରତ ଥିବା ବହୁ କର୍ମଚାରୀ କର୍ମଚାରୀ ରାଜ୍ୟ ବୀମା ଯୋଜନାରୁ ମିଳୁଥିବା ସୁବିଧାସୁଯୋଗ ସଂପର୍କରେ ସଂପୁର୍ଣ୍ଣ ଅଜ୍ଞ ଥିବା କେତେକ ମହଲରେ ଚର୍ଚ୍ଚା ହେଉଛି । ଇଏସ୍‍ଆଇରୁ ମିଳୁଥିବା ସୁବିଧାସୁଯୋଗ ପ୍ରଦାନ ସଂପର୍କରେ ଯଦି କୌଣସି ଠିକା କର୍ମଚାରୀ ପ୍ରଶ୍ନ କରନ୍ତି ତେବେ କେତେକ ଘରୋଇ ଠିକାସଂସ୍ଥା ଉକ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରାଯିବ ବୋଲି ଧମକଚମକ ଦେଉଥିବା ମଧ୍ୟ ମତ ପ୍ରକାଶ ପାଉଛି । ପ୍ରଶାସନ ପକ୍ଷରୁ ମଧ୍ୟ ଘରୋଇ ଠିକାଦାରଙ୍କ ଜରିଆରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ଇଏସ୍‍ଆଇରୁ ମିଳୁଥିବା ସୁବିଧାସୁଯୋଗ ସଂପର୍କରେ ସଚେତନ କରାନଯିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ଅଞ୍ଚଳର କେତେକ ଘରୋଇ ଠିକାସଂସ୍ଥା ସେମାନଙ୍କ ଦ୍ୱାରା ଆଉଟସୋର୍ସିଂ ପଦ୍ଧତିରେ ନିଯୁକ୍ତି କରିଥିବା ଶିକ୍ଷିତ ବେକାର ଯୁବକଙ୍କୁ ଇଏସ୍‍ଆଇ ସୁବିଧାସୁଯୋଗ ପ୍ରଦାନ ନକରିବା ସଂପର୍କରେ ଆସିକା ସହକାରୀ ଶ୍ରମ ଅଧିକାରୀ ଲଲିତେନ୍ଦୁ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଯେଉଁ ଆଉଟସୋର୍ସିଂ ସଂସ୍ଥାଗୁଡିକ ସେମାନଙ୍କ କର୍ମଚାରୀଙ୍କ ମାସିକ ଦରମାରୁ ଇଏସ୍‍ଆଇ ବାବଦକୁ ଅର୍ଥ କାଟି ସୁବିଧାସୁଯୋଗ ଦେବା ଦିଗରେ ପଦକ୍ଷେପ ନେଉନାହାନ୍ତି ତାହାର ଏକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସିକା ଅଞ୍ଚଳରେ ନିୟୋଜିତ ଥିବା କେତେକ ଆଉଟସୋର୍ସିଂ ଏଜେନ୍ସି ନିଜ କର୍ମଚାରୀମାନଙ୍କୁ ସରକାରୀ ନୀତିନିୟମ ଅନୁଯାୟୀ ଇଏସ୍‍ଆଇ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରୁଥିଲେ ମଧ୍ୟ ବହୁ ଏଜେନ୍ସି ଇଏସ୍‍ଆଇ ସୁବିଧା ପ୍ରଦାନ କରୁନଥିବା ଅଭିଯୋଗ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ