ଜଳଭଣ୍ଡାରରେ ବୁଡିରହିଥିବା ଶତାଧିକ ବର୍ଷ ତଳର ବିଶ୍ଵନାଥ ମନ୍ଦିର ଚୂଡ଼ ଦୃଶ୍ୟମାନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ୧୮୬୬ ନଅଙ୍କ ମହା ଦୁର୍ଭିକ୍ଷ ପରେ ବ୍ରିଟିଶ ସରକାର ମରୁଡ଼ି ସମସ୍ୟାର ସମାଧାନ ପାଇଁ ରସଲକୋଣ୍ଡା ବା ଭଞ୍ଜନଗର ଜଳଭଣ୍ଡାର ନିର୍ମାଣ କରିବାର ଚିନ୍ତାଧାରା ଆରମ୍ଭ କରିଥିଲେ। ଏହି ପ୍ରାକୃତିକ ବିପର୍ଯ୍ୟୟର କାରଣ ଖୋଜୁଥିବାବେଳେ କୃଷି ଜମି ଜଳସେଚନ ପାଇଁ ଏକ କମିଶନ ଗଠନ କରାଯାଇଥିଲା। ପରେ ଏହି ପ୍ରସଙ୍ଗରେ ଋଷିକୁଲ୍ୟା ନଦୀର ଜଳକୁ ବ୍ୟବହାର କରିବା ପାଇଁ କ୍ୟାପଟେନ୍‍ ବାଇକେଲି ରେସିଡ଼େଣ୍ଟ ଇଞ୍ଜିନିୟରଙ୍କୁ ୧୮୬୮ ମସିହାରେ ପଠାଇଥିଲେ ଏବଂ ୧୮୭୨ ମସିହାରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ଏହାର ନିର୍ମାଣ କାର୍ଯ୍ୟ ୧୮୮୪ ମସିହାରେ ଆରମ୍ଭ ହେଲା ସମୟରେ ୨୮,୬୦,୨୮୯ ଟଙ୍କା ବଜେଟ୍‍ ପ୍ରସ୍ତୁତ କରାଯାଇଥିଲା ଏବଂ ୧୮୯୪ ମସିହାରେ ଶେଷ ହେଲା ବେଳକୁ ଏହାର ଖର୍ଚ୍ଚ ୪୭,୫୬,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଚରୋଟି ଆନିକଟ ଏବଂ ଦୁଇଟି ଜଳଭଣ୍ଡାରକୁ ଋଷିକୁଲ୍ୟା ଜଳସେଚନ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଗୋଟିଏ ରସଲକୋଣ୍ଡା ବା ଭଞ୍ଜନଗର ଜଳଭଣ୍ଡାର ଅନ୍ୟଟି ସୋରଡ଼ା ଜଳଭଣ୍ଡାର। ଲୋହରାଖଣ୍ଡି ନଦୀର ଏକ ଉପନଦୀ ବରଙ୍ଗ କେନାଲକୁ ନେଇ ରସଲକୋଣ୍ଡା ଜଳଭଣ୍ଡାର ନିର୍ମାଣ ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମେ ୨୧୬ ନିୟୁତ କ୍ୟୁସେକ୍‍ ଜଳ ଧାରଣା କରିବାର କ୍ଷମତା ଥିଲା ପରେ ଏହାକୁ ବୃଦ୍ଧି କରାଯାଇଥିଲା। ମାଧବରିଡ଼ା ଏବଂ ଜାନିବିଲି ଆନିକଟ କରାଯାଇ ଜଳ ସେଚନ ସହିତ ଏହା ଭଞ୍ଜନଗର ଏବଂ ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଇ ଥାଏ। ଜଳଭଣ୍ଡାରର ଜଳ କୃଷକମାନଙ୍କ ପାଇଁ ଅମୂଲ୍ୟ ସମ୍ପଦ ପାଲଟି ଥିବା ସମୟରେ ଲୋକଙ୍କ ଶୋଷ ମେଣ୍ଟାଇବା ସହିତ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଆର୍ଥିକ ମାନ ବୃଦ୍ଧି କରିବାରେ ମଧ୍ୟ ସକ୍ଷମ ହୋଇ ପାରିଛି। କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ ପରେ ଚଳିତବର୍ଷ ଆବଶ୍ୟକ ବର୍ଷାର ଅଭାବ ଯୋଗୁଁ ଜଳଭଣ୍ଡାର ଶୁଖିବାରେ ଲାଗିଛି। ଯଦ୍ୱାରା ୧୩୦ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ଜଳଭଣ୍ଡାରରେ ବୁଡ଼ି ରହିଥିବା ବିଶ୍ୱନାଥ ସ୍ୱାମୀଙ୍କ ମନ୍ଦିରର ଚୂଡ଼ା ଦୃଶ୍ୟମାନ ହେଉଛି। ପାଣି ଏତେ ଶୁଖିଗଲାଣିଯେ ନଭେମ୍ବର ମାସ ଶେଷ ସମୟରେ ଭଞ୍ଜନଗରକୁ ଆବଶ୍ୟକ ପାଣି ଯୋଗାଇ ପାରୁନାହିଁ। ଯଦି ବର୍ତ୍ତମାନ ଏହି ଅବସ୍ଥା ରହେ ତେବେ ଆଗାମୀ ଗ୍ରୀଷ୍ମ ସମୟରେ ଭଞ୍ଜନଗରକୁ ପାଣି ମିଳିବା ଅସମ୍ଭବ ହୋଇପଡ଼ିବ। ପ୍ରକାଶଥାଉକି ପ୍ରତ୍ୟେକ ଦିନ ଭଞ୍ଜନଗର ସହର ପାଇଁ ପ୍ରାୟ ୪୦ଲକ୍ଷ ଲିଟର ପାଣି ଆବଶ୍ୟକ ପଡ଼ିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ