ଶିକ୍ଷାର ପ୍ରସାର ଦିଗରେ ବୈକୁଣ୍ଠନାଥ ଆଚାର୍ଯ୍ୟ ଥିଲେ ଏକ ମହାଦ୍ରୁମ ଓ ବିରଳ ବ୍ୟକ୍ତିତ୍ୱ – ଶିଳ୍ପ ମନ୍ତ୍ରୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ବୈକୁଣ୍ଠନାଥ ଆଚାର୍ଯ୍ୟଙ୍କ ଜନ୍ମ ଶତବାର୍ଷିକ ବିଦ୍ୟାଳୟ ପରିସରରେ ଆଲମୁନି ଆସୋସିଏସନ ପକ୍ଷରୁ ପାଳନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଯୋଗ ଯେଉଁ ସମୟରେ ଉକ୍ତ ଅଂଚଳରେ ଜମିଦାର ଶାସନ ଚାଲୁଥିଲା ସେହି ସମୟରେ ସ୍ୱର୍ଗତ ଆଚାର୍ଯ୍ୟ ଶିକ୍ଷାର ବିକାଶ କରି ନିଜ ଅଂଚଳର ବିକାଶକୁ ତ୍ୱରାନ୍ୱିତ କରିଥିଲେ । ଶିକ୍ଷାର ପ୍ରସାର ଦିଗରେ ସେ ଥିଲେ ଏକ ମହାଦ୍ରୁମ ଓ ବିରଳ ବ୍ୟକ୍ତିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ସୁଲେଖିକା,ଗାଳ୍ପିକା ଡଃ ସୁଲୋଚନା ଦାସ ଯୋଗ ଦେଇ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିକ୍ଷାର ପ୍ରସାର ଦିଗରେ ଯେଉଁ ଭୂମିକା ଗ୍ରହଣ କରିଥିଲେ ତାହା ଅତୁଳନୀୟ । ତାଙ୍କ ଦ୍ୱାରା ଲିଖିତ ଇଂରାଜୀ ଅନୁବାଦ ତାଙ୍କୁ ଘରେ ଘରେ ପରିଚିତ କରିଛି । ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଛାତ୍ର ଆଜି ଦେଶ ବିଦେଶରେ ପ୍ରତିଷ୍ଠିତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଓଡିଶା ଆଡଭୋକେଟ ଜେନେରାଲ ଡଃ. ପିତାମ୍ବର ଆଚାର୍ଯ୍ୟ ଯୋଗ ଦେଇ ଏହି ଅନୁଷ୍ଠାନ ବିଦ୍ୟା ନିକେତନ ନୁହେଁ ଏକ ମଣିଷ ତିଆରି କାରଖାନା ବୋଲି ମତବ୍ୟକ୍ତ କରିଥିଲେ । ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ ପ୍ରାକ୍ତନ ପ୍ରଧାନ ଶିକ୍ଷକ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ସବୁ କ୍ଷେତ୍ରରେ ଅଗ୍ରଣୀ ଥିଲେ । କିନ୍ତୁ ସେ ଶିକ୍ଷକତାକୁ ନିଜର ବୃତି ରୂପେ ବାଛି ଥିଲେ । ନିଜ ଅଂଚଳର ବିକାଶ ପାଇଁ ସେ ଦୃଢ ପ୍ରତିଶୃତିବଦ୍ଧ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଆଲମୁନିର ସଭାପତି ପ୍ରକାଶ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମନ୍ତ୍ରୀ ସ୍ୱାଇଁ, ଲେଖିକା ଡଃ ଦାସ, ବିଧାୟକ ଦାସ,ଡଃ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷାଧିକାରୀ ନିରଂଜନ ବେହେରା, ବ୍ଳକ ଶିକ୍ଷାଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ପାଢୀ, ଆଲମୁନିର ସଂପାଦକ ବିରଂଚି ନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଅତିଥିମାନେ ବିଦ୍ୟାଳୟ ପରିସରରେ ଥିବା ଗଣେଶ, ଉତ୍କଳମଣୀ ଗୋପବନ୍ଧୁ ଦାସ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବୈକୁଣ୍ଠନାଥ ଆଚାର୍ଯ୍ୟଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ବିଦ୍ୟାଳୟର ପୁର୍ବତନ ଛାତ୍ର ବିପିନ ମଲ୍ଲିକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉପସ୍ଥିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟର ମୁଖପତ୍ର ‘ପାରିଜାତ’ ଉନ୍ମୋଚନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଓ ମନିଷା ମିଶ୍ର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସଂସଦର ସଦସ୍ୟ ବିଜୟ କୁମାର ମହାନ୍ତି, ତ୍ରିନାଥ ମହାନ୍ତି, ସୁବାସ ବିଶ୍ୱାଳ, ବଂଶୀଧର ବେହେରା, ପ୍ରମୋଦ ସ୍ୱାମୀ, ପ୍ରଶାନ୍ତ ମିଶ୍ର, ସୁଶାନ୍ତ ମଲ୍ଲିକ, ପୁରାତନ ଛାତ୍ର, ଅଭିଭାବକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।