ସୀମା ବିବାଦ ନେଇ ପୋଡାଜଳା ଘଟଣା, କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କଲା ପ୍ରଶାସନ
ବନ୍ତ, (ଚାନ୍ଦିନୀ ମହାନ୍ତି):ଗତ ଏପ୍ରିଲ ୧୫ ତାରିଖ ରାତିରେ ଭଦ୍ରକ ଜିଲା ବନ୍ତ ତହସିଲ ଅଧିନ ଆପଣ୍ଡା ଗ୍ରାମ ଓ କେନ୍ଦୁଝର ଜିଲ।। ହାଟଡିହି ତହସିଲ ଅଧିନ ଓରାଳି ଗ୍ରାମର ସୀମା ବିବାଦକୁ ନେଇ ଆପଣ୍ଡା(ଓରାଳି) ଛକରେ ଘଟିଥିବା ପୋଡାଜଳା ଘଟଣାରେ ଶନିବାର ଜିଲା ପ୍ରଶାସନ କ୍ଷତିଗ୍ରସ୍ତ ବ୍ୟବସାୟୀ ମାନଙ୍କ ସହ ଆଲୋଚନା କରିଛି । ବସନ୍ତିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ମନୋଜ ପାତ୍ର, ସ୍ଥାନୀୟ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ବନ୍ତ ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା, ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ସାହୁ, ସମାଜସେବୀ ବସନ୍ତ କୁମାର ବେହେରା ଉପସ୍ଥିତ ରହି କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଥିଲେ । ପୋଡାଜଳା ଘଟଣାରେ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ତହସିଲ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଉକ୍ତ ଅଞ୍ଚଳଟି ବନ୍ତ ତହସିଲ ଅଧିନ ଆପଣ୍ଡା ରାଜସ୍ୱ ମୌଜା ସୀମାରେ ହୋଇଥିଲେ ମଧ୍ୟ ଛକରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଶୃଙ୍ଖଳା ରକ୍ଷା କରି ନିଜ ନିଜର ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଉକ୍ତ ଛକରେ କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଯାତ୍ରୀ ବିଶ୍ରାମାଗାରକୁ ବନ୍ଦ ରଖିବା ପାଇଁ ବ୍ୟବସାୟୀମାନେ ଦୃଢ ଦାବି ଉପସ୍ଥାପନା କରିବା ପରେ ଉପଜିଲ୍ଲାପାଳ ଏନେଇ ପଦକ୍ଷେପ ନେବାକୁ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ଗ୍ରାମବାସୀ ମାନଙ୍କ ମଧ୍ୟରେ ସୀମା ବିବାଦକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଶାନ୍ତ ହେବା ପର୍ଯ୍ୟନ୍ତ ଛକରେ ନିୟମିତ ପୋଲିସ ପେଟ୍ରୋଲିଂ ସହ ୨୪ଘଣ୍ଟିଆ ପୋଲିସ ପ୍ରହରା ଜାରି ରଖିବାକୁ ବନ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ କ୍ଷତିଗ୍ରସ୍ତ ବ୍ୟବସାୟୀ ବିଜୟ କୁମାର ମଲ୍ଲିକ, ଭରତ ଜେନା, ଶିବରାମ ବିଶ୍ୱାଳ, କାଶିନାଥ ନାୟକ, କାଶିନାଥ ଦାସଙ୍କ ସମେତ ସମସ୍ତ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ ।