ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ପୁରିପଡା ବଜାର ଠାରେ ଅଗ୍ନିକାଣ୍ଡ ଘଟି ଏକ ଚା ଜଳଖିଆ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ପୁରୀପଡା ବଜାରର ଶନିମନ୍ଦିର ନିକଟରେ ଥିବା ରମେଶ ଚନ୍ଦ୍ର ସାହୁଙ୍କ ଚାହା ଜଳଖିଆ ଦୋକାନରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ଏହାକୁ ଦେଖି ଦମକଳ ବାହିନୀକୁ ଖବରଦେଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଦୋକାନ ଗୃହରେ ଥିବା ଏକ ଗ୍ୟାସ ଟାଙ୍କି ଫାଟିବାରୁ ସମସ୍ତେ ଭୟଭିତ ହୋଇଯାଇଥିଲେ । ଫଳରେ ଦମକଳ ବାହିନୀ ପହଞ୍ଚିବା ବେଳକୁ ଦୋକାନ ସରଞ୍ଜାମ ସହିତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବାବେଳେ ଭଣ୍ଡାରିପୋଖରୀ ପୋଲିସ କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡିଛି । ବିପନ୍ନ ବ୍ୟବସାୟୀ ଶ୍ରୀସାହୁ ଚାହା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଏବେ ନୂଆ ଦୋକାନ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ କ୍ଷୁଦ୍ର ବ୍ୟବସାୟ ନିୟମାନୁଯାୟୀ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇବାକୁ ଦାବି ହୋଇଛି ।


