ସରସଦା ସମିତିରେ ଅଚଳାବସ୍ଥା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଦିର୍ଘଦିନ ହେବ ଅଚଳାବସ୍ଥା ଲାଗି ରହିଛି । ଫଳରେ ଦୈନନ୍ଦିନ ନେଣଦେଣ ସହିତ ମଣ୍ଡିରେ ଧାନ ବିକ୍ରୟ ପାଇଁ ଆସୁଥିବା ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମିତିରେ ଅନିୟମିତତା ହେତୁ ଗତ କିଛିମାସ ପୂର୍ବରୁ ମାଳଦା ସମବାୟ ସମିତିର ସହକାରୀ ସମ୍ପାଦକ ନିର୍ମଳ ଚନ୍ଦ୍ର ଦାସଙ୍କୁ ସରସଦା ସମିତି ସମ୍ପାଦକ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ମଧ୍ୟ ଅବସ୍ଥା ସୁଧୁରିନଥିବାବେଳେ ନୂତନ ସମ୍ପାଦକଙ୍କ ନାମରେ ଚାଷୀମାନେ ଅନିୟମିତତା ଅଭିଯୋଗ ଆଣିଥିଲେ । ଏପରିକି ୧୫ଶହ କୁଇଁଣ୍ଟାଲ ଧାନ ବିକ୍ରୟର ହିସାବ ଏଯାଏଁ ମିଳିପାରୁନଥିବା ଜଣାଯାଇଛି । ଚାଷୀ ମାନଙ୍କର ଅସନ୍ତୋଷ ବଢିବା ହେତୁ ବିଭାଗୀୟ ଅଧିକାରୀ ସମ୍ପାଦକ ଶ୍ରୀ ଦାସଙ୍କୁ ସରସଦାରୁ ଅପସାରଣ କରି ମାଳଦାରେ ଅବସ୍ଥାପିତ କରିଛନ୍ତି । ଏହାପରେ ନୂତନ ସମ୍ପାଦକ ଭାବେ ତେସିଙ୍ଗା ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇଙ୍କୁ ଅସ୍ଥାୟୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପରିତାପର ବିଷୟ ଏନେଇ ବିଭାଗ ପକ୍ଷରୁ ୧୭-୩-୨୧ରେ ବିଦାୟୀ ସମ୍ପାଦକ ଶ୍ରୀ ଦାସଙ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ସେ ଏହାକୁ ଗ୍ରହଣ କରିନାହାଁନ୍ତି । ସୁତଂରା ଅତିରିକ୍ତ ଦାୟିତ୍ୱ ନେଇଥିବା ଶ୍ରୀ ଖଣ୍ଡାଇ ବିଦାୟୀ ସମ୍ପାଦକଙ୍କ ଠାରୁ ଲିଖିତ ଭାବେ କୌଣସି ଦାୟିତ୍ୱ ପାଇନଥିବାରୁ ଏବେ ସମିତିରେ ଅଚଳାବସ୍ଥା ଦେଖାଦେଇଛି । ଧାନ କ୍ରୟ ଅନିୟମିତା ଓ ସମିତି ତହବିଲରୁ କିଛି ହେରଫେର ହୋଇଥିବା କାରଣରୁ ନୂତନ ସମ୍ପାଦକ ଦାୟିତ୍ୱ ନେଇପାରୁନଥିବା ଜଣାପଡିଛି । ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଷ୍ଟିଦେଇ ସମିତିର ସ୍ୱଭାବିକ ଅବସ୍ଥା ଫେରାଇ ଆଣିବାକୁ ସାଧାରଣରେ ଦୃଢ ଦାବି ହୋଇଛି ।


