ଅରଖକୁଦରେ ଚୋରା ମଦ ବିକ୍ରିକୁ ବିରୋଧ,ବନ୍ଦ ନହେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯାଳୟ ସମ୍ମୁଖରେ ଧାରଣା ଚେତାବନି

ନାଉଗାଁ-:ନାଉଗାଁ ଅଂଚଳରେ ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହି ଅଂଚଳର ବ୍ଲକଛକ ଠାରେ ଏକ ସରକାରୀ ମଦ ଦୋକାନ ରହିଥିବା ବେଳେ ଉକ୍ତ ଅଂଚଳର ୧୬ଟି ଯାକ ପଂଚାୟତରେ ପ୍ରାୟ ପ୍ରତ୍ୟେକ ଗାଁରେ ଦୁଇରୁ ତିନି ଜଣ ଚୋରା ମଦ ବେପାରୀ ଚୋରା ମଦ ଆଣି ଗ୍ରାମମାନଙ୍କରେ ବିକ୍ରୀ କରୁଛନ୍ତି । ଯାହାଦ୍ୱାରା ସ୍କୁଲ କଲେଜ ପଢୁଆ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ମଦ ପିଇ ମଦ ନିଶାରେ ନିଜ ଗ୍ରାମରେ ଉନ୍ମତକାଣ୍ଡମାନ ଘଟାଉଛନ୍ତି । ଏତେ ପରେ ବି ସ୍ଥାନୀୟ ପୁଲିସର ଉକ୍ତ ଚୋରା ମଦ ବେପାରୀମାନଙ୍କ ପ୍ରତି ରହିଥିବା ସହନଶୀଳତାକୁ ଦେଖି ଗୁରୁବାର ଏହି ଅଂଚଳର ରୋହିଆ ପଂଚାୟତସ୍ଥିତ ଅରଖକୁଦ ଗ୍ରାମର ପାର୍ବତୀ ନାୟକଙ୍କ ନେତୃତ୍ୱରେ ଅହଲ୍ୟା ନାୟକ, ମଂଜୁଲତା ସ୍ୱାଇଁ, ପ୍ରୀୟତମା ନାୟକ, ସଂଜୁଲତା ମଲ୍ଲିକ, ନିର୍ମଳା ସୁର୍‌, ମନୋରମା ସେଠୀ, ରଂଜୁକ୍ତା ନାୟକ, ଉର୍ମୀଳା ନାୟକ, ବବିତା ନାୟକଙ୍କ ସମେତ ଶତାଧିକ ମହିଳା ଉକ୍ତ ଗ୍ରାମରେ ଚୋରା ମଦ ବିକ୍ରୀକୁ ବନ୍ଦ କରିବା ପାଇଁ ମଦ ବିରୋଧି ସ୍ଲୋଗାନ ଦେଇ ରାସ୍ତାରେ ଉପରେ ଆନ୍ଦୋଳନ ଆରମ୍ଭ କରିଥିଲେ । ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ ଖବର ପାଇଁ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ । ସେମାନଙ୍କ କହିବା ଅନୁସାରେ ଉକ୍ତ ଗ୍ରାମରେ ମଦ ବିକ୍ରୀ ହେବା ଦ୍ୱାରା ଏଠାରେ ଝିଅ ଓ ମହିଳାମାନେ ପ୍ରତ୍ୟେକ ଦିନ ନିର୍ଯ୍ୟାତିତ ହେଉଛନ୍ତି । ତେଣୁ ଏହି ଗ୍ରାମରେ ମଦ ବିକ୍ରୀ କରୁଥିବା ବ୍ୟକ୍ତିମାନଙ୍କ ଉପରେ ସ୍ଥାନୀୟ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ନାଉଗାଁ ଥାନା ଆଇଆଇସି ଶ୍ରୀ ସାହୁଙ୍କୁ ପଚାରିବାରୁ ଗାଁ ମାନଙ୍କରେ ଚୋରା ମଦ ବେପାର କିଭଳି ଭାବେ ବନ୍ଦ କରାଯାଇ ପାରିବ ଏଥିପ୍ରତି ଧ୍ୟାନ ଦେଇ ଏହାର ସମାଧାନ କରାଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ