ଆଇଓସିଏଲ୍ କର୍ତ୍ତୃପକ୍ଷଙ୍କ ମନମାନି ବିରୁଦ୍ଧରେ ଚାଷୀଙ୍କ ଦାବିପତ୍ର ପ୍ରଦାନ
ବୁଗୁଡା, (ଅନିଲ ମହାରଣା):ବୁଗୁଡା ଅଞ୍ଚଳରେ ଆଇଓସିଏଲ୍ ଦ୍ବାରା ପାରାଦ୍ବପରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ବିଛା ଯାଉଥିବା ଗ୍ଯାସ ପାଇପ୍ ଲାଇନ ପାଇଁ ଅଧିକୃତ ଜମିର କ୍ଷତି ପୂରଣ ଓ ଫସଲର କ୍ଷତି ପୂରଣ ପ୍ରଦାନ ନକରିବା ସାଙ୍ଗକୁ ଜମି ସୀମା ନିର୍ଦ୍ଧାରଣ ଓ ସମତୁଲ କରିବାକୁ ଥିବା କାର୍ଯ୍ୟରେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ମନମାନିର ପ୍ରତିବାଦରେ କ୍ଷତିଗ୍ରସ୍ତ ଚାଷୀମାନେ ମେଳି ହୋଇ ଆନ୍ଦୋଳନ କରିବା ସହିତ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଦାବିପତ୍ର ପ୍ରେରଣ କରିଥିଲେ ।ସୋମବାର ସକାଳେ ବୁଗୁଡା ଏନଏସି ଏବଂ ବିରଞ୍ଚିପୁର, ମାଣିତରା, ଶଙ୍କୁରୁ ଓ ଖୋଳଖାଳି ପଞ୍ଚାୟତର ବିଭିନ୍ନ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଚାଷୀ ପ୍ରାଣୀଧନ ଚିକିତ୍ସାଳୟ ପରିସରରେ ମେଳି ବାନ୍ଧି ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ପ୍ଲାକ କାର୍ଡ ଧରି ସ୍ଲୋଗାନ ଦେଇ ପ୍ରଥମେ ବୁଗୁଡା ଥାନାଧିକାରୀଙ୍କ ମାଧ୍ୟମରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିକଟକୁ ଦାବିପତ୍ର ପ୍ରେରଣ ପାଇଁ ଅତିରିକ୍ତ ଆରକ୍ଷୀ ନିରୀକ୍ଷିକା ଶର୍ମିଷ୍ଠା ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ତହସିଲଦାରଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର , ୫ ଟି ସଚିବ, ଓ ଆଇଓସିଏଲ୍ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ନିକଟକୁ ଦାବିପତ୍ର ପ୍ରେରଣ ପାଇଁ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହିତ ଉକ୍ତ ସମସ୍ୟା ଗୁଡିକର ସମାଧାନ ଯଥାଶୀଘ୍ର କରାନଗଲେ କ୍ଷତିଗ୍ରସ୍ତ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ । ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ଆସନ୍ତା ଗୁରୁବାର ଦିନ ତହସିଲଦାରଙ୍କ କାର୍ଯ୍ଯାଳୟରେ ଆଇଓସିଏଲ୍ ଅଧିକାରୀଙ୍କ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ନେଇ ତହସିଲଦାର ପ୍ରକାଶ କରିଛନ୍ତି ।


