ଆଜି ସାବିତ୍ରୀ : ହିଞ୍ଜିଳିକାଟୁ ବଜାର ଚଳଚଞ୍ଚଳ – ଫଳ ଦର ଆକାଶ ଛୁଆଁ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଚିତ ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ ରୂପେ ପରିଚିତ ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ବର୍ତ୍ତମାନ ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି । ସୋମବାର ସାବିତ୍ରୀବ୍ରତ ପାଳନ ହେବାକୁ ଥିବା ବେଳେ ଆଜି ଠାରୁ ସ୍ଥାନୀୟ ବଜାର ବେପାର ରେ ମସଗୁଲ । ଓଡ଼ିଆ ଘରର ପ୍ରତ୍ୟେକ ସ୍ତ୍ରୀ ଲୋକ ଏହି ବ୍ରତ ପାଳନ କରିଥାନ୍ତି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ ଏହି ବ୍ରତ କ଼ାହିଁ କେଉଁ କାଳରୁ ପାଳନ କରି ଆସୁଛନ୍ତି । ତେବେ ସାବିତ୍ରୀ ବ୍ରତ ପାଇଁ ଏବେ ଘରେ ଘରେ ବିଭିନ୍ନ ସାମଗ୍ରୀ କିଣାରେ ମାହୋଲ । ଦୋକାନ ବଜାରରେ ଭିଡ ଜମୁଛି । ବଜାରରେ ଶାଢି ଠାରୁ ଆରମ୍ଭ କରି ଚୁଡ଼ି, ଫଳ ଦର ଆକାଶ ଛୁଆଁ ହୋଇପଡ଼ିଛି । କିଏ ଝିଅ ଘରକୁ ଭାର ପଠାଇବାକୁ ଯୋଜନା କରୁଛି ତ ଆଉ କିଏ ନିଜ ପାଇଁ ସାବିତ୍ରୀ ବ୍ରତ ଆବଶ୍ୟକୀୟ ସାମଗ୍ରୀ କିଣାରେ ବ୍ୟସ୍ତ । ହିଞ୍ଜିଳିକାଟୁ ସହରର ବିଭିନ୍ନ ଲୁଗା ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ଫଳ, ଚୁଡ଼ି ଓ ଲେଡ଼ିସ କର୍ଣ୍ଣର ଗୁଡ଼ିକରେ ଭିଡ ଜମୁଥିବାର ଦେଖିବାକୁ ମିଳୁଛି । ଶାଢି ଦୋକାନୀ ମାନେ ବିଭିନ୍ନ ଆକର୍ଶଣୀୟ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି । ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି କେତେକ ବ୍ୟବସାୟୀ ନିଜ ମନ ମୁତାବକ ଦର ଲଗାଉଥିବାର ଦେଖିବାକୁ ମିଳୁଛି । ସେହିଭଳି ସାବିତ୍ରୀ ବ୍ରତରେ ଭୋଗ ପାଇଁ ଆବଶ୍ୟକ ପଡୁଥିବା ପାଚିଲା ଫଳର ଦାମ ମଧ୍ୟ ସାଧାରଣ ଦିନ ଠାରୁ ଅଧିକ ରହିଥିବାର ଦେଖିବାକୁ ମିଳିଛି । ଦର ଯେତିକି ଅଧିକ ରହିଲେ ମଧ୍ୟ ଗ୍ରାହକ ମାନେ କିଣିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ପଡୁଥିବା ଆମ୍ବ ଦର କିଲୋ ପିଛା ୬୦ ରୁ ୮୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଖଜରା ପଣସ ଗୋଟାକୁ ୪୦୦ ରୁ ୫୦୦ ଟଙ୍କା, ସେଓ କିଲୋ ୨୫୦ ରୁ ୩ଶହ ଟଙ୍କା, ନଡ଼ିଆ ଗୋଟାକୁ ୩୦ ଟଙ୍କା, କଦଳୀ ଡ଼ଜନ ୮୦ରୁ ୧୦୦ ଟଙ୍କା, ଲିଚୁ କିଲୋ ୧୫୦ ଟଙ୍କା, କାକୁଡ଼ି କିଲୋ ୬୦ ଟଙ୍କା, ଅଙ୍ଗୁର କୋଳି କିଲୋ ୧୪୦ ରୁ ୧୫୦ ଟଙ୍କା, ଖଜୁରୀ ପେନ୍ଥା ୧୦ ଟଙ୍କା, ତାଳ ଗୋଟାକୁ ୧୦ ଟଙ୍କା ସମେତ ଅନ୍ୟାନ ଫଳର ଦର ଆକାଶଛୁଆଁ ରହିଛି । ଧନୀକ ଶ୍ରେଣୀର ସାଧାରଣ ଜନତା ଝିଅ ଘରକୁ ଭାର ଦେବା ପାଇଁ ପେଟି ପେଟି ଫଳ କିଣୁଥିବା ବେଳେ ଗରୀବ ତଥା ମଧ୍ୟବିତ୍ତ ଶ୍ରେଣୀର ସାଧାରଣ ଜନତା ନିଜ କ୍ଷମତା ଅନୁସାରେ ଫଳମୂଳ ସାମଗ୍ରୀ କିଣୁଥିବାର ଦେଖିବାକୁ ମିଳୁଛି । ସାବିତ୍ରୀକୁ ନେଇ ସତ୍ୟବାନ ମାନଙ୍କ ପକେଟ୍ ଖାଲି ହୋଇପଡୁଛି । ସୋମବାର ସାବିତ୍ରୀ ବ୍ରତ ଥିବାରୁ ରବିବାର ଦିନତମାମ ହିଞ୍ଜିଳିକାଟୁ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ବଜାର ଚଳଚଞ୍ଚଳ ହୋଇପଡିଛି ।


