ଆନ୍ଧ୍ରକୁ ଅବାଧ ବାଲି ଚୋରାଚାଲାଣକୁ ରୋକିବା ପାଇଁ ପ୍ରଶାସନ ଡ୍ରୋନ କ୍ୟାମେରା ଦ୍ୱାରା ସର୍ଭେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗରରେ ଥିବା ବଂଶଧାରା ନଦୀରୁ ପଡୋଶୀ ଆନ୍ଧ୍ରର ବାଲି ମାଫିଆମାନେ ଅବାଧ ବାଲି ଚୋରା ଚାଲାଣ ନେଇ ଆମ ଖବର କାଗଜ ସହ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇ ଆନ୍ଧ୍ରକୁ ଅବାଧ ବାଲି ଚୋରାଚାଲାଣ ରୋକିବା ପାଇଁ ଡ୍ରୋନ କ୍ୟାମେରା ଦ୍ୱାରା ସର୍ଭେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି | କାଶୀନଗର ସହରର ଆର ପାରିରେ ଆନ୍ଧ୍ର ପ୍ରଦେଶର ସୀମା ରହିଛି | ଓଡିଶାର ହାବିଲମା ମୌଜା ମଧ୍ୟ ରହିଛି, ଆନ୍ଧ୍ର ପାର୍ଶ୍ୱରେ ମଧ୍ୟ ଓଡିଶା ଚାଷୀଙ୍କ ଜମି ଓ ଆମ୍ବ ଓ କାଜୁ ତୋଟା ରହିଛି | ଆନ୍ଧ୍ର ଅବାଧ ଭାବେ ବାଲି ଚାଲାଣ କରୁଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ସାଧୁବାଦ ଜଣାଯାଇଛି. ଏକଦା ଡ଼ଙ୍ଗା ଚଳାଇବା ପାଇଁ ଆନ୍ଧ୍ର – ଓଡିଶା ମଧରେ ସୀମା ବିବାଦ ଉଠିଥିଲା. ସେତେବେଳେ ଉଭୟ ପକ୍ଷର ରାଜସ୍ବ ବିଭାଗର କର୍ମକର୍ତ୍ତାମାନେ ମିଳିତ ସର୍ଭେ ସହ ମାପ ଚୁପ କରି ସୀମା ନିର୍ଦ୍ଧାରଣ କରିଥିଲେ. ଏବେ ବାଲିକୁ ନେଇ ପୁଣି ଆନ୍ଧ୍ର – ଓଡିଶା ମଧ୍ୟରେ ପୁଣି ବିବାଦ ଉଠିଛି | ଗତ ପନ୍ଦର ଦିନ ତଳେ ଚାରିଗୋଟି ଜେସିବି ଲଗାଇ ଟ୍ରକ ସାହାଯ୍ୟରେ ବାଲି ଚାଲାଣ ହେଉଛି | ଏହି ବାଲି ଚାଲାଣରେ କିଛି ବଡ଼ ବାଡିଆଙ୍କ ହାତ ରହିଥିବା ପ୍ରଚାରିତ ହେଉଛି. ଏ ସମସ୍ତ ଘଟଣା ପରେ ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡା, ଉପ ଜିଲ୍ଲାପାଳ ଅନୁପ ପଣ୍ଡା, ତହସିଲଦାର ଡମ୍ବୁରୁ ଧର ମଲିକ, ଅତିରିକ୍ତ ତହସିଲଦାର ତ୍ରିନାଥ ସାହୁ ଓ ରାଜସ୍ବ କର୍ମଚାରୀ ମିଳିତ ଭାବେ ଡ୍ରୋନ କ୍ୟାମେରା ଦ୍ୱାରା ସର୍ଭେ ଆରମ୍ଭ କରିଛନ୍ତି | ଏହାର ସଠିକ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣା ପଡିଛି |


