ଆର୍ସେଲୋର ମିତ୍ତଲ ନିପ୍ପନ ଷ୍ଟିଲ ପ୍ଲାଣ୍ଟରେ ନିଯୁକ୍ତି ଓ ପରିବହନ ଦାବୀ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ଭଙ୍ଗାରୁଜା
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳର ଦୁବୁନା ସ୍ଥିତ ଆର୍ସେଲୋର ମିତ୍ତଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତି ଓ ପରିବହନ କାର୍ଯ୍ୟ ଦାବିକରି ଗତ ତିନିଦିନ ଧରି ଆନ୍ଦୋଳନରେ ବସିଥିବା ସ୍ଥାନୀୟ ଲୋକମାନେ ପ୍ଲାଣ୍ଟ ସମ୍ମୁଖରେ ଭଙ୍ଗାରୁଜା କରିଥିବା ଖବର ହସ୍ତଗତ ହୋଇଛି । ଖବର ନେବାରୁ ଜଣାପଡିଛି ଯେ, ଗତ ତିନିଦିନ ଧରି ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଏବଂ ବର୍ତମାନର ଚମ୍ପୁଆ ବିଧାୟୀକା ମିନାକ୍ଷୀ ମହାନ୍ତଙ୍କ ସମର୍ଥକମାନେ ଆର୍ସେଲୋର ମିତ୍ତଲ ପ୍ଲାଣ୍ଟଟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଥିଲେ । ପୂର୍ବରୁ ଏହି ପ୍ଲାଣ୍ଟଟି ଏସ୍ଆର୍ ଷ୍ଟିଲ କମ୍ପାନୀର ଅଧିନରେ ଥିଲା ।ଏହି ପ୍ଲାଣ୍ଟରେ ଶ୍ରମିକ ନିଯୁକ୍ତ ଥିବା ସହିତ ପ୍ଲାଣ୍ଟର ଖଣିଜ ପରିବହନ କାର୍ଯ୍ୟକୁ ବିଧାୟକଙ୍କ ସମର୍ଥକ ମାନେ କରିଆସୁଥିଲେ ମାତ୍ର ନୂତନ ଭାବେ ଏହି ପ୍ଲାଣ୍ଟକୁ ନେଇଥିବା ଆର୍ସେଲୋର ମିତ୍ତଲ ନିଯୁକ୍ତି ଓ ପରିବହନ କାର୍ଯ୍ୟ ଉକ୍ତ ସମର୍ଥକମାନଙ୍କୁ ନଦେବାରୁ ଏହି ଭଳି ଘଟଣା ଘଟିଛି । କାର୍ଯ୍ୟ ନଦେବାରୁ ତିନିଦିନ ଧରିି ସ୍ଥାନୀୟ ଲୋକମାନେ ଆନ୍ଦୋଳନ କରୁଥିଲେ । ତେବେ କୌଣସି ସମାଧାନ ନହେବାରୁ ଗୁରୁବାର ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ବିଧାୟକଙ୍କ ସମର୍ଥକ ତଥା ସ୍ଥାନୀୟ ମହିଳା, ପୁରୁଷ ଠେଙ୍ଗା ବାଡି ଧରି ପ୍ଲାଣ୍ଟ ସମ୍ମୁଖରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିବା ସହିତ ଢେଲା ପଥର ମାଡ କରି ଭଙ୍ଗାରୁଜା କରିଥିଲେ । ଏଥିରେ ତିନିଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ଏବଂ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ଜଣାପଡିଛି । ଖବର ପାଇ ବାମେବାରି ପୋଲିସ ସଦଳ ବଳେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏ ସମ୍ପର୍କରେ ଆର୍ସେଲୋର ମିତ୍ତଲ ନିପ୍ପନ ଷ୍ଟିଲ୍ର ମାନବ ସମ୍ବଳ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ପ୍ରତିକ୍ରିୟା ମିଳିପାରିନଥିଲା ।


