ଆଶା ଓ ଗାଁ କଲ୍ୟାଣ ସମିତି ବାର୍ଷିକ ସମ୍ମିଳନୀ : ୧୧ ଗ୍ରାମକୁ ସୁସ୍ଥ ଗ୍ରାମ ସମ୍ମାନ
ପୋଲସରା/ବୁଗୁଡା, (ଅନିଲ ମହାରଣା): ଜିଲ୍ଲା ସ୍ୱାସ୍ଥ୍ୟ ସମିତ, ଗଞ୍ଜାମ ଆନୁକୂଲ୍ୟରେ ମାର୍ଚ୍ଚ ୨୩ ତାରିଖ ଦିନ ଭଞ୍ଜନଗର ସ୍ଥିତ ଟାଉନ ହଲ ଠାରେ ଆଶା ଓ ଗାଁ କଲ୍ୟାଣ ସମିତି ମାନଙ୍କ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର ଯୋଗ ଦେଇଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସୀତାଂଶୁ ଶେଖର ଶତପଥୀ ଅଧ୍ୟକ୍ଷତା କରିଥିଲେ। ସମ୍ମାନୀତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଭଞ୍ଜନଗର ସିଡିପିଓ ବିଷ୍ଣୁପ୍ରିୟା ସେଠୀ, ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିଏମ ଶ୍ରୀପାଣିଗ୍ରାହୀ, ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ଶକ୍ତି କୁମାର ଦିଗାଲ, ଆଶିଷ କୁମାର ମିଶ୍ର, ସଞ୍ଜୟ କୁମାର ପରିଡା, ବିଚିତ୍ର କୁମାର ପାଣିଗ୍ରାହୀ,ଓ ଡାକ୍ତର ସି. ସରୋଜିନୀ ଦେବୀ ଯୋଗ ଦେଇଥିଲେ। ତୃଣମୂଳ ସ୍ତରରେ ଆଶା ଓ ଗାଁ କଲ୍ୟାଣ ସମିତି ମାନଙ୍କ ଭୂମିକା ବହୁତ ଗୁରୁତ୍ୱ ବହନ କରୁଛି। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ, ପୁଷ୍ଟିକର ଯୋଜନା, ପରିମଳ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକର ମାର୍ଗଦର୍ଶକ ସାଜି ଏହାର ସଫଳ ରୂପାୟନ ଦିଗରେ ନିଜକୁ ନିୟୋଜିତ କରି ଉତ୍ତମ କାମ ଜାରି ରଖିଥବାରୁ ଉପସ୍ଥିତ ଅତିଥି ମାନେ ପ୍ରଶଂସା କରିଥିଲେ। ଏଥିସହ ମହାମାରୀ କୋଭିଡ ସମୟରେ ଜୀବନକୁ ବାଜି ଲଗେଇ ନିଜ ଦାୟିତ୍ୱ ସଠିକ ଭାବେ ତୁଲାଇଥିବା ଯୋଗୁଁ ସମସ୍ତଙ୍କୁ ଅତିଥି ମାନେ ପ୍ରଂଶସା କରିଥିଲେ। ଆଶା ଓ ଗାଁ କଲ୍ୟାଣ ସମିତି ମାନଙ୍କ ସକ୍ରିୟ ସହଯୋଗ ପାଇଁ ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ପୁରସ୍କାର ୨୦୨୦-୨୧ ମସିହା ପାଇଁ ୧୧ ଟି ଗାଁ କଲ୍ୟାଣ ସମିତିକୁ ଶ୍ରେଷ୍ଠ ସୁସ୍ଥ ଗ୍ରାମ ପୁରସ୍କାର ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ପୋଲସରା ବ୍ଲକରେ କଳମ୍ବ ଓ ବୁଗୁଡ଼ା ବ୍ଲକରେ ଝୋଲରୀ ଗ୍ରାମ ସ୍ଥାନ ପାଇଛି | ଏହି ଦୁଇ ଗାଁ କଲ୍ୟାଣ ସମିତିକୁ ୧୦ ହଜାର ଟଙ୍କା ର ଚେକ ଓ ମାନପତ୍ର ପାଇଛନ୍ତି। ସେହିପରି ସୁସ୍ଥ ଗ୍ରାମ ପାଞ୍ଚାୟତ ୨୦୨୦-୨୧ ପୁରସ୍କାର ପାଇଁ ୩ ଟି ଗ୍ରାମ ପାଞ୍ଚାୟତ ପୁରସ୍କୃତ ହୋଇଥିବା ବେଳେ ପୋଲସରା ବ୍ଲକର ନିମିନା ଗ୍ରାମ ପଞ୍ଚାୟତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସରପଞ୍ଚ ହରାପ୍ରିୟା ସାହୁ ୧୦ ହଜାର ଟଙ୍କାର ଚେକ ଓ ମାନପତ୍ର ଗ୍ରହଣ କରିଛନ୍ତି। ସେହିପରି ଶ୍ରେଷ୍ଠ ଆଶା ୨୦୨୦-୨୧ ପାଇଁ ତିନିଜଣଙ୍କ ମଧ୍ୟରୁ ପୋଲସରା ବ୍ଲକର ରୁମାଗଡ ଆଶା କର୍ମୀ ଗାୟତ୍ରୀ ସ୍ୱାଇଁ ପ୍ରଥମ ସ୍ଥାନ ରହି ପୁରସ୍କୃତ ହୋଇ ୫ ହଜାର ଟଙ୍କାର ଚେକ ଓ ମାନପତ୍ର ପାଇଛନ୍ତି। ସ୍ୱାନ୍ତନା ମୂଳକ ଭାବେ ୮ ଜଣ ଆଶା କର୍ମୀ ପୁରସ୍କୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ବୁଗୁଡ଼ା ବ୍ଲକର ଚିରିକିପଡା ଆଶା କର୍ମୀ କିଶୋରୀ ମନ୍ଥନ ଅନ୍ୟତମ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ସିଏଚସିର ସୁପରିଟେଣ୍ଡେଣ୍ଟ, ବିପିଏମ, ବିଏଏମଏସ ଓ ବିଡିଏମଏସ ଏବଂ ଭଞ୍ଜନଗର ହସ୍ପିଟାଲର ସମସ୍ତ ଏକାଉଟେଣ୍ଟ ଓ ବିଡ଼ିଏମ ବୃନ୍ଦ ଉପସ୍ଥିତ ଥିଲେ |


