ଋଣ ପ୍ରଦାନ ସଂସ୍ଥାର କର୍ମଚାରୀ ଋଣ ଅର୍ଥ ହଡପ କରିଥିବା ଥାନାରେ ଅଭିଯୋଗ
ନାଉଗାଁ,(ଓ୍ବାଇଏନ୍ଏସ୍):ଗ୍ରାମାଂଚଳରେ ବିଭିନ୍ନ ଫାଇନାନ୍ସ କଂପାନୀ ମାନଙ୍କ ପକ୍ଷରୁ ମହିଳା ଗ୍ରୁପ କରାଯାଇ ଋଣ ପ୍ରଦାନ ଓ ଆଦାୟ କରାଯାଉଛି । ଆର୍ଥୀକ ଅନାଟନ ହେତୁ ଅନେକ ଲୋକ ଏହି କଂପାନୀ ମାନଙ୍କ ଠାରୁ ଋଣ ନେଉଥିବା ଜଣାଯାଇଛି । ଅନେକ ସମୟରେ ଗରିବ ମହିଳା ମାନଙ୍କ ନାମରେ ଋଣ କରାଇ ବିଭିନ୍ନ ଫାଇନାନ୍ସ କଂପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀ ହଡପ କରୁଥିବା ଜଣାଯାଇଛି । ଏହିପରି ଏକ ଅଭାବନୀୟ ଘଟଣା ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତ ଦଣ୍ଡାସାହି ଗ୍ରାମର ଘଟିଯାଇଛି । ଯାହାଫଳରେ ନାଉଗାଁ ଥାନାରେ ପୃଥକ ଭାବେ ଅଭିଯୋଗ ହୋଇଥିବା ଜଣାଯାଇଛି । ଉକ୍ତ ଗ୍ରାମର ନୟନ ଭୋଇ ଭାରତ ଫାଇନାନସ କଂପାନୀରୁ ୧୫ ଜାନୁଆରୀ ୨୦୨୦ରିଖରେ ୫୨ ହଜାର ଟଙ୍କା ଋଣ ନେଇଥିଲେ । ଋଣ ନେବା ପାଇଁ ସେ କଂପାନୀରେ ଏକ ଜମା ଖାତା ମଧ୍ୟ ଖୋଲିଥିଲେ । ଆବଶ୍ୟକୀୟ କାଗଜପତ୍ର ଦେବା ସହ ତାଙ୍କ ନାମରେ ୫୨ ହଜାର୧୪୫ ଟଙ୍କା ଋଣ ପ୍ରଦାନ କରାଯାଇଥିବା କଂପାନୀ କହିଥିଲେ । କିନ୍ତୁ ଋଣ ଆଦାୟ ଓ ଗ୍ରୁପ କରିବା ପାଇଁ କଂପାନୀ ଦ୍ୱାରା ନିଯୁକ୍ତ ମରଚାଂଟ ପ୍ରିୟଦର୍ଶୀନି ମହାନ୍ତି ତାଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରି ଅବଶିଷ୍ଟ ଟଙ୍କା ହଡପ କରିଛନ୍ତି । ଏ ବିଷୟରେ ନୟନ ଜାଣି ନଥିଲେ । ଋଣ ଆଣିବା ପରଠାରୁ ପ୍ରତି ବୁଧବାର ୮ ଶହ ଟଙ୍କା ହିସାବରେ କିସ୍ତି ପ୍ରଦାନ କରୁଥିଲେ । ସେ ଅଦ୍ୟାବଧି ୧୨ଟି କିସ୍ତି ପୈଠ କରିଛନ୍ତି । କରୋନା ମହାମାରୀ ଯୋଗୁ କିସ୍ତି ଦେଇ ପାରି ନଥିବା ବେଳେ ତାଙ୍କ ନାମରେ ୫୨ ହଜାର ୧୫୪ ଟଙ୍କା ଆସିଥିବା ସେ ଜାଣିବାକୁ ପାଇଲେ । ଏହି ବିଷୟରେ ବୁଝିବାକୁ ସେ କଂପାନୀ ତରଫରୁ ନିଯୁକ୍ତ ମରଚାଂଟ ପ୍ରିୟଦର୍ଶୀନି ମହାନ୍ତିଙ୍କ ନିକଟକୁ ଯିବା ସମୟରେ ପ୍ରିୟଦର୍ଶୀନି ଓ ତାଙ୍କ ସ୍ୱାମୀ ବିନୋଦ ମହାନ୍ତି ତାଙ୍କୁ ଜାତିଆଣ ଆକ୍ଷେପ ସହ ଅଶ୍ଳିଳ ଭାଷାରେ ଗାଲିଗୁଲଜ କରିଥିଲେ । ଉକ୍ତ ଘଟଣା ସଂପର୍କରେ ସେ ଭାରତ ଫାଇନାନ୍ସ ଶାଖା କତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଏଥିରେ ସେ କିଛି କରିପାରିବେ ନାହିଁ ବୋଲି ସିଧା ମନା କରିଦେଇଥିଲେ । ଯାହାଫଳରେ ନୟନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନୟନ ଜଣେ ଗରିବ ଦଳିତ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଉକ୍ତ ଘଟଣାକୁ ନେଇ ବହୁଜନ ଛାତ୍ର ଓ ଯୁବ ସାମୁଖ୍ୟର କାର୍ଯ୍ୟକାରିଣୀ ସଭାପତି ଅନିଲ କୁମାର ମଲିକ, ଆଲୋକ ଦାସ, ବାବାଜୀ କାଣ୍ଡି, ପ୍ରତାପ ଚନ୍ଦ୍ର କାଣ୍ଡିଙ୍କ ସହିତ ୧୮ ଜଣଙ୍କ ସ୍ୱାକ୍ଷରିତ ଏକ ଲିଖିତ ଅଭିଯୋଗ ନାଉଗାଁ ଥାନାରେ ପ୍ରଦାନ କରିଛନ୍ତି । ବହୁଜନ ଛାତ୍ର ଓ ଯୁବ ସାମୁଖ୍ୟର ଅଭିଯୋଗ ମୁତାବକ ଅନୁସୂଚିତ ଜାତି ଦାରିଦ୍ର ସୀମାରେଖା ତଳେ ଥିବା ଦିନ ମଜୁରିଆ ଲୋକମାନଙ୍କ ଆର୍ଥିକ ଦୁରାବସ୍ଥାର ଫାଇଦା ଉଠାଇ ଭାରତ ଫାଇନାନ୍ସ କଂପାନୀ ଓ ସେମାନଙ୍କ ଦ୍ୱାରା ନିଯୁକ୍ତ ମରଚାଂଟ ମୋଟା ସୁଧ ହାରରେ ଅର୍ଥ ହଡପ କରୁଛନ୍ତି । ତେଣୁ ସେମାନଙ୍କ ବିରୁଦ୍ଧରେ ଏସିଏସଟି ପ୍ରିଭେନସନ ଆକ୍ରୋସିଟ ଆକ୍ଟରେ ଆଇନିଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।ଏ ସଂର୍ପକରେ ଭାରତ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକଙ୍କୁ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


