ଓମ୍ ନମ୍ଃ ଶିବାୟ ଧ୍ୱନିରେ ଗୁଞ୍ଜରିତ ହେଲା ବାବା ଯୋଗେ‌ଶ୍ୱର ପୀଠ

ରାଇରଙ୍ଗପୁର (ଅକ୍ଷୟ କୁମାର ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ସଦର ରାଇରଙ୍ଗପୁର ସନ୍ନିକଟ ଶିମିଳିନାଳି-ପାଣପୋଷି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବାବା ଯୋଗେଶ୍ୱରଙ୍କ ଶୈବପୀଠରେ ମହାଶିବରାତ୍ରି ପୂଜାର୍ଚ୍ଚନା କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି । ଭକ୍ତ ଓ ଭଗବାନ ପରସ୍ପରକୁ ନଛୋଡବନ୍ଧା । ଯେତେ କଟକଣା କଲେବି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ଛିଡ଼ା ହୋଇ ପାରିବ ନାହିଁ । ଏହି ଅବସରରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ରାଇରଙ୍ଗପୁର ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ, ମାନସିକଧାରୀ ଗୁରୁବାର ଦିନ ସକାଳୁ ଆସି ପହଞ୍ଚି ବାବାଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ନୈବେଦ୍ୟ ବାଢ଼ିଥିଲେ ।ଗ୍ରାମର ଥିବା ସମସ୍ତ ବ୍ରତଧାରୀ ଘର ବାହାରେ ଦୀପ ଜାଳିଥିଲେ । ଯଦିଓ ପ୍ରଶାସନ ତରଫରୁ ବାବାଙ୍କ ଦର୍ଶନପାଇଁ ଅନୁମତି ମିଳିଥିଲା ହେଲେ ଦୀପ ଜାଳିବା ଓ ମହାଦୀପ ଉଠିବା ସମୟରେ ଭକ୍ତମାନଙ୍କୁ ବାରଣ କରା ଯାଇଥିଲା । ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବାବା ଆପେ ଆପେ ଉଭା ହୋଇଛନ୍ତି । ବାବାଙ୍କ ପୀଠକୁ ଯିବା ପାଇଁ ବନ ବିଭାଗ ତରଫରୁ କଟକଣା ଅଛି ।ଯଦିଓ ମାଟି ରାସ୍ତାଟେ ଅଛି ହେଲେ ବଡ଼ ନାଳ ସାଜିଛି ବାଧକ ।ସେଠାରେ ଗୋଟାଏ ପୋଲ,ସୋଲାର ଲାଇଟ୍, କଂକ୍ରିଟ ରାସ୍ତା ଆବଶ୍ୟକ ।ବାବା ମୁକ୍ତ ଆକାଶରେ ପୂଜା ପାଉଛନ୍ତି ସେଥିପାଇଁ ମନ୍ଦିର ଗୃହ ପାଇଁ ଆର୍ଥିକ ସମ୍ବଳ ଆବଶ୍ୟକ ।ବାବାଙ୍କ ଚତୁଃପାର୍ଶ୍ଵରେ ସବୁଜ ବନାନୀ ,ଛୋଟ ପୋଖରୀଟିଏ ଅଛି । ଠେକୁଆ ମଧ୍ୟ ସେଠାରେ ଅବାଧ ବିଚରଣ କରୁଛନ୍ତି ।ଏହି ମନୋଲୋଭା ପରିବେଶ ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷଣ କରିଛି । ଜାଗରଣରେ କମିଟି ତରଫରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖିଚୁଡି ଦୁଇ ଦିନ ଧରି ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମକୁ କମିଟି ସଦସ୍ୟ ଜଗଦୀଶ ମହାନ୍ତ,ଭବାନୀ ମହାନ୍ତ, ପୁରୁଷୋତ୍ତମ ମହାନ, ଅ‌ଶ୍ୱିନୀ ମହାନ୍ତି,ସିପୁନ ମହାନ୍ତ,ଗଣେଶ ମହାନ୍ତ ଏବଂ ଅନ୍ୟ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ