‘ଓଷ୍ଟା’ ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା) : ମାଧ୍ୟମିକ ଶିକ୍ଷା ପରିଷଦର ସଂଶୋଧିତ ପରୀକ୍ଷା ପଦ୍ଧତି ଓ ଅନ୍ୟାନ୍ୟ ନିଷ୍ପତ୍ତିକୁ ବିରୋଧ କରିଛି ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ’(ଓଷ୍ଟା) । ଏନେଇ ସଙ୍ଘ ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦର ଉତ୍ତର ଓଡ଼ିଶା ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶତ ହୋଇଯାଇଛି । ‘ଓଷ୍ଟା’ର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ଭଦ୍ରକ ଜିଲାର ଓଷ୍ଟା ଶାଖା ସମେତ ଛାତ୍ର, ଶିକ୍ଷକ, ଅଭିଭାବକ ତଥା ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ମିଳିତ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା ସହଦେବଖୁଣ୍ଟା ବସଷ୍ଟାଣ୍ଡ ନିକଟରୁ ବାହାରି ଶିକ୍ଷା ପରିଷଦର କ୍ଷେତ୍ରୀୟ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ‘ଓଷ୍ଟା’ ବାଲେଶ୍ୱର ଶାଖା ସଭାପତି ବାଦଲ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିବା ସହ ମାଧ୍ୟମିକ ଶିକ୍ଷା ପରିଷଦର ଅଦୂରଦର୍ଶୀ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ । ବିଶେଷ କରି ବିଦ୍ୟାଳୟ ସ୍ୱିକୃତୀ ନାମରେ ପ୍ରତ୍ୟେକ ବର୍ଷ ଆଦାୟ କରାଯାଉଥିବା ୪ହଜାର ଟଙ୍କାର ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର ସହ ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟକୁ ସ୍ଥାୟୀ ସ୍ୱିକୃତୀ ପ୍ରଦାନ କରିବା, ନବନ ଓ ଦଶମ ଶ୍ରେଣୀ ପାଇଁ ଦୁଇଟି ପୃଥକ ବୋର୍ଡ ପରୀକ୍ଷା ପରିବର୍ତ୍ତେ ପୂର୍ବ ପ୍ରଚଳିତ ଦଶମ ଶ୍ରେଣୀରେ ଗୋଟିଏ ପରୀକ୍ଷା, ମୂଲ୍ୟାୟନ ପଦ୍ଧତି ଓ ପରୀକ୍ଷା ଢାଞ୍ଚା ଅପରିବର୍ତ୍ତିତ ରଖିବା, ଛାତ୍ରଛାତ୍ରୀଙ୍କ ଠାରୁ ମାଇଗ୍ରେସନ ଫି ଆଦାୟ ବନ୍ଦ କରିବା, ପାଠ୍ୟ ପୁସ୍ତକରେ ଥିବା ତ୍ରୁଟି ତୁରନ୍ତ ସଂଶୋଧନ ସହ ଶିକ୍ଷା ବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ପ୍ରଭୃତି ପ୍ରଦାନ ପାଇଁ ମିଳିତ ମଞ୍ଚ ପକ୍ଷରୁ ଦାବି ହୋଇଥିଲା । ସଂଘର ବାଲେଶ୍ୱର ଶାଖା ସମ୍ପାଦକ ମନୋରଞ୍ଜନ ଦାସ, ଭଦ୍ରକ ସମ୍ପାଦକ ପ୍ରଦୀପ୍ତ ଦାସ, ମୟୁରଭଞ୍ଜ ସମ୍ପାଦକ ଚିତ୍ତରଞ୍ଜନ ପଲଟା ଓ ଦୁର୍ଯ୍ୟୋଧନ ରାଉତ, କେନ୍ଦୁଝର ସମ୍ପାଦକ ପ୍ରଶାନ୍ତ ମିଶ୍ର, ଓଷ୍ଟା କାର୍ଯ୍ୟକାରୀ ସଭାପତି ଭିକାରୀ ଚରଣ ରାଉତ, ସମ୍ପାଦକ ସୁରଦୀପ ନାୟକ, ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ସମ୍ପାଦକ କାହ୍ନୁ ସାମଲ ପ୍ରମୁଖ ଏହି ବିକ୍ଷୋଭ ସମାବେଶରେ ଯୋଗଦେଇ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ତୃଟିପୂର୍ଣ୍ଣ ଶିକ୍ଷାନୀତିକୁ ବିରୋଧ କରିଥିଲେ । ବିଶେଷ କରି ରାଜ୍ୟର ସମସ୍ତ ଶିକ୍ଷକଙ୍କୁ ପର୍ଯ୍ୟାୟ କ୍ରମେ ବିଷୟ ଭିତ୍ତିକ ତାଲିମ ପ୍ରଦାନ, ପରିଷଦରେ ବିଷୟ ବିଶାରଦ ପଦ ତୁରନ୍ତ ପୂରଣ କରିବା, ପରିଷଦରେ ୫୦ ପ୍ରତିଶତ ଶିକ୍ଷକଙ୍କ ନିଯୁକ୍ତି, ପରିଷଦର ବିଭିନ୍ନ କମିଟିରେ ଛାତ୍ର, ଶିକ୍ଷକ, ଅଭିଭାବକ ଓ ଶିକ୍ଷାବିତଙ୍କୁ ପ୍ରତିନିଧି ଭାବେ ସାମିଲ କରିବା, ବିଦ୍ୟାଳୟଗୁଡିକୁ ପୂର୍ବବତ ଲାଇବ୍ରେରୀ ପୁସ୍ତକ, ଆସବାବପତ୍ର, ବିଜ୍ଞାନ ଓ ଖେଳ ଉପକରଣ ପାଇଁ ଅନୁଦାନ ପ୍ରଦାନ ପାଇଁ ସେମାନେ ଦାବି କରିଥିଲେ । ଏତେଇ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ‘ଓଷ୍ଟା’ ତିବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୦ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଏକ ସ୍ମାରକପତ୍ର ମାଧ୍ୟମିକ ଶିକ୍ଷା ପରିଷଦର ଉପ-ସମ୍ପାଦକଙ୍କୁ ପ୍ରଦାନ କରାଯାଇଥିଲା । ବିକ୍ଷୋଭ ସମାବେଶରେ ‘ଓଷ୍ଟା’ର ଶିକ୍ଷକ ନେତା, ସଦସ୍ୟଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ଛାତ୍ର ଓ ଅଭିଭାବକ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ