ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ମୁସଲିମ ୱେଲଫେୟାର ସୋସାଇଟିର ସହାୟତା
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ ମୁସଲିମ ୱେଲଫେୟାର ସୋସାଇଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ୮ଜଣ ବ୍ୟକ୍ତିଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ବିଗତ ସପ୍ତାହରେ ଶ୍ରୀରାମ ହସପିଟାଲର ସହଯୋଗରେ ସହରର ମଛୁଆସାହିରେ ଆୟୋଜିତ ଚକ୍ଷୁ ପରୀକ୍ଷା ଶିବିରରେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରେ ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା । ଚିହ୍ନଟ ବ୍ୟକ୍ତିଙ୍କ ମଧ୍ୟରେ ୫ଜଣ ମହିଳା ଓ ୩ଜଣ ପୁରୁଷ ଥିବା ସୋସାଇଟିର କର୍ମକର୍ତ୍ତା କହିଛନ୍ତି । ଚିହ୍ନଟ ହୋଇଥିବା ମୋତିଆବିନ୍ଦୁ ରୋଗୀଙ୍କର ପର୍ଯ୍ୟାୟ କ୍ରମେ ଅସ୍ତ୍ରୋପଚାର ଚାଲିଥିବା ସେମାନେ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ରୋଗୀଙ୍କର ପ୍ରାକ ପରୀକ୍ଷା ସହ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି କରାଯାଉଛି । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ସମସ୍ତ ରୋଗୀଙ୍କ ଅସ୍ତ୍ରୋପଚାର ଓ ଅନ୍ୟାନ୍ୟ ଚିକିତ୍ସା ବ୍ୟବସ୍ଥା କରାଯାଉଥିବା ମୁସଲିମ ୱେଲଫେୟାର ସୋସାଇଟିର ସମ୍ପାଦକ ଶେଖ ଆୟୁବ ସୂଚନା ଦେଇଛନ୍ତି । ସୋସାଇଟିର ସଭାପତି ମହମ୍ମଦ ମୁକ୍ତାର ଅହମ୍ମଦ, ମହମ୍ମଦ ହାଇଦର ଖାନ୍, ଶେଖ ନଜିମ ଓ ଆଜିମ ବାଲେଶ୍ୱରୀ ପ୍ରମୁଖ ଏହି ଅଭିଯାନରେ ସହାୟତା ପ୍ରଦାନ କରିଥିଲେ । ମୁସଲିମ ୱେଲଫେୟାର ସୋସାଇଟି ଆଗାମୀ ଦିନରେ ବି ଏହି ଅଭିଯାନ ଜାରି ରଖିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି ।


