କଟକ ସାଂସଦଙ୍କୁ ଜନ୍ମ ମାଟିରୁ ଶୁଭେଚ୍ଛା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡା ମାଟିର ପୁଅ ତଥା ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ସୁପୁତ୍ର ଭର୍ତ୍ତୃହରି ମହତାବ ଲଗାତର ୭ମ ଥର ପାଇଁ କଟକ ଲୋକସଭା ଆସନରୁ ବିପୁଳ ଭୋଟରେ ନିର୍ବାଚିତ ହୋଇଥିବାରୁ ଜନ୍ମମାଟି ଆଗରପଡାରୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯିବା ସହ କଟକ ସଂସଦୀୟ କ୍ଷେତ୍ରର ଭୋଟର ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି । ପ୍ରକାଶ ଥାଉକି, ଭର୍ତ୍ତୃହରି ମହତାବ ସଂସଦରେ ନିଜର ପାରଦର୍ଶିତା ଦେଖାଇବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିର ଅଧ୍ୟକ୍ଷ ଓ ସଂସଦ ପରିଚାଳନା ଉତ୍କର୍ସତା ପାଇଁ ଉତ୍କୃଷ୍ଟ ସାଂସଦ ମହାରତ୍ନ ଭାବେ ଭାରତ ସରକାରଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ୨୦୨୪ରେ ସେ ବିଜେପି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କର ଦୀର୍ଘଦିନର ସାଂସଦ ଭାବେ ଅଭିଜ୍ଞତା ଥିବାରୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ କିମ୍ବା ବାଚସ୍ପତି ଦାୟୀତ୍ୱ ମିଳିବା ନେଇ ଆଶା କରାଯାଉଛି । ଏଥିସହିତ ଭଦ୍ରକର ନବ ନିର୍ବାଚିତ ଯୁବ ସାଂସଦ ଅଭିମନ୍ୟୁ ସେଠୀ ଏବଂ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କୁ ଲୋକଶକ୍ତି, ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ଆଦି ସାମାଜିକ ସଂଗଠନ, ଜଗତଜ୍ୟୋତି, ଝାନ୍ସୀରାଣୀ, ଧବଳେଶ୍ୱର ମହିଳା ମହାସଂଘ, ଯୁବକ ସଂଘ ଓ ବ୍ୟକ୍ତି ବିଶେଷ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।


