କାକଟପୁରରେ ମୋ ବସଷ୍ଟାଣ୍ଡ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ବୁଧବାର ଅପରାହ୍ନରେ ରାଜ୍ୟର ୧୩ ଜିଲ୍ଲାର ୨୧ ଟି ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସି ମାଧ୍ୟମରେ ଉଦଘାଟନ କରିଥିବାବେଳେ ପୁରୀ ଜିଲ୍ଲାରେ ଉଦଘାଟିତ ହୋଇଥିବା କାକଟପୁର ବସଷ୍ଟାଣ୍ଡର ଉଦଘାଟନୀ ସମାରୋହରେ ରାଜ୍ୟ କ୍ରୀଡା, ଯୁବସେବା, ପ୍ରଯୁକ୍ତି ବିଦ୍ୟା ଓ ଗୃହରାଷ୍ଟ୍ର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)କୈଳାଶ ଚନ୍ଦ୍ର ନାୟକ,ପୁରୀ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, କାକଟପୁର ତହସିଲଦାର ବିରଞ୍ଚି ନାରାୟଣ ବେହେରା, କାକଟପୁର ବିଡ଼ିଓ ତୁଷାର ଜ୍ୟୋତିରଞ୍ଜନ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଏହି ସମାରୋହ ରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ସମର୍ଥକ ଓ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସମର୍ଥକ ପୃଥକ ପୃଥକ ଭାବେ ଉକ୍ତ ଉଦଘାଟନୀ ସମାରୋହରେ ଯୋଗଦେଇଥିଲେ । ଉକ୍ତ ସମାରୋହରେ ପୁରୀଜିଲ୍ଲା କିମ୍ବା କାକଟପୁର ଘରୋଇ ବସ ମାଲିକ ସଂଘକୁ ଏ ସମ୍ପର୍କରେ କୌଣସି ଅବଗତ କରାଯାଇନଥିଲା ଫଳରେ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା ଓ କର୍ମଚାରୀ ମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସରକାର ରାଜ୍ୟର ଘରୋଇ ବସ ସେବା ବନ୍ଦ କରିଦେବାପାଇଁ ଚକ୍ରାନ୍ତ କରିଥିବାର ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏହି ବସଷ୍ଟାଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ୫ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ।ଯେଉଁଥିରେ ଶୀତତାପ ନିୟନ୍ତ୍ରିତ ଯାତ୍ରୀ ବିଶ୍ରାମଗାର, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଚାଳକ ବିଶ୍ରାମ ଗୃହ, ମୋବାଇଲ ଚାର୍ଜଂ ୟୁନିଟ, ବସ ସର୍ଭିସ ସେଣ୍ଟର, ବସ ଟର୍ମିନାଲ, କାଫେ ଆଦିର ବ୍ୟବସ୍ଥା ରହିଅଛି । ଯାହାକୁ ରାଜ୍ୟ ପରିବହନ ନିଗମକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହସ୍ତାନ୍ତର କରିଛି ।ତେବେ ଏହି ବସଷ୍ଟାଣ୍ଡ ନିର୍ମାଣକୁ ନେଇ ଅନେକ ବାଦ ବିବାଦ ଉପୁଜିଛି ।ସରକାର ବେଆଇନ ଭାବେ ଅର୍ଦ୍ଦାଧିକ ହାତୀଆଖଡ଼ା ମଠର ଜମିକୁ ଅକ୍ତିଆର କରି ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିବାର ଅବସରପ୍ରାପ୍ତ ସାମରିକ କର୍ମଚାରୀ ତଥା ସୂଚନା ଅଧିକାର କର୍ମୀ ବିଦ୍ୟାଧର ନାୟକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ନିକଟରେ ଫେରାଦ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ