କାଶୀନଗରରେ ସୌନ୍ଦର୍ଯ୍ୟକରଣ ଉପରେ ଏନ୍ଏସିର ଗୁରୁତ୍ୱ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା କାଶୀନଗର ସହରର ସୌନ୍ଦର୍ଯ୍ୟକରଣ ଉପରେ ଏନ୍ଏସି ଗୁରୁତ୍ୱ ଆରୋପ କରିଥିବା ଜଣାପଡିଛି । ମତ ପ୍ରକାଶ ପାଇଛି ଯେ, ବିଡିଓ ଭାବେ ଡ. ସତ୍ୟସମ୍ପର୍ଣ୍ଣା ରାଉତ ଦାୟିତ୍ୱ ନେବା ପରେ ଏ ଦିଗରେ ଅନେକ ଫଳପ୍ରଦ ପଦକ୍ଷେପ ନେଇଛନ୍ତି । ବ୍ଲକ ଛକରେ ଥିବା ରୋଡ୍ ଆଇଲାଣ୍ଡ୍କୁ ମିନି ପାର୍କର ରୂପ ଦିଆଯାଇଛି । କାନ୍ଥଚିତ୍ର ଜରିଆରେ ବିଭିନ୍ନ ସରକାରୀ ଯୋଜନାର ବାର୍ତ୍ତା ପହଞ୍ଚ ପାରିଛି ଲୋକଙ୍କ ନିକଟରେ । ବସିବା ପାଇଁ ଉକ୍ତ ପାର୍କ ଓ ସହରର ଅନ୍ୟାନ୍ୟ ସ୍ଥାନରେ ବେଞ୍ଚ ପକାଯାଇଛି । ତେବେ କେତେକ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ସବୁଠାରୁ ଅଧିକ ଆକର୍ଷଣୀୟ ହୋଇଛି ପ୍ରେମର ପ୍ରତୀକ ସହ ସିମେଣ୍ଟ ତିଆରି ଅକ୍ଷରରେ କାଶୀନଗର ଲେଖାଯିବା କାର୍ଯ୍ୟକ୍ରମ । ସହରବାସୀଙ୍କ ମନରେ କାଶୀନଗରକୁ ଆଉ ଟିକେ ଅଧିକ ଭଲ ପାଇବାର ପ୍ରେରଣା ସୃଷ୍ଟି କରିବା ଏହାର ଲକ୍ଷ୍ୟ ବୋଲି ଇଓ କହିଛନ୍ତି ।


