କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ସହ ଦିଲ୍ଲୀ ରାଜରାସ୍ତାରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ବନ୍ତ ଠାରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ସହ ଦିଲ୍ଲୀ ରାଜ ରାସ୍ତାରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଆଜି ବନ୍ତ ଠାରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଯୁବ ଆଇନଜୀବି ପ୍ରତାପ ସେଠୀଙ୍କ ଆବାହକତ୍ୱରେ ଅଖିଳ ଭାରତ କୃଷକ ସଭା, ଓଡିଶା କୃଷକ ସଭା, ନବ ନିର୍ମାଣ କୃଷକ ସଂଗଠନ, ସିପିଆଇ, ସିପିଏମ୍, କଂଗ୍ରେସ ସମେତ ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନର ସମର୍ଥକ ମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ଭାରତ ବର୍ଷର କୃଷିଜୀବି ଓ କୃଷକ ମାନଙ୍କର ବୃହତ୍ତର ସ୍ୱାର୍ଥ ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଥାନା ଛକ ଠାରେ ପହଞ୍ôଚ ଥିଲେ । କୃଷକ ମାନଙ୍କ ପାଇଁ ଅଣାଯାଇଥିବା କଳା ଆଇନକୁ ପ୍ରତ୍ୟାହାର କରିବା, ଦେଶର ଦରଦାମ୍, ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଉଚିତ୍ ମୂଲ୍ୟରେ ଯୋଗାଇବା ଦାବୀରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆସନ୍ତା ୮ ତାରିଖରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ସମସ୍ତ କୃଷକ ସଂଗଠନ, ଗଣତାନ୍ତ୍ରିକ ବାମ ସଂଗଠନ, ଶ୍ରମିକ ସଂଗଠନ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, ଧିରୁଭାଇ ଅମ୍ବାନୀଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏଥିରେ ସିପିଆଇ ଜୋନ୍ ସଂପାଦକ ରମେଶ ଜେନା, ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ଆଇନଜୀବି ପରମେଶ୍ୱର ବାରିକ, ନିରଂଜନ ନାୟକ, ବରିଷ୍ଠ କଂଗ୍ରେସ ନେତା ନିରଂଜନ ମଲ୍ଲିକ, ସିପିଏମ୍ ନେତା ନାରାୟଣ ଲେଙ୍କା, ସିଆଇଟିୟୁ ନେତା ମହେଶ୍ୱର ନାୟକ, ସମାଜସେବୀ ତ୍ରିଲୋଚନ ପଣ୍ଡା, ଅନନ୍ତ ପୃଷ୍ଟି, ନୃସିଂହ ଦାସ, ତାରିକ୍ ଅଞ୍ଜୁମ୍, ବିମ୍ବାଧର ଜେନା, ରବିନ୍ଦ୍ର ସେଠୀଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ ।


