କୋଣାର୍କରେ ଶବ ଖୋଜୁଛି ମଶାଣି : ପ୍ରକଳ୍ପ ଜୀବିତ ନା ମୃତ ?
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :କୋଣାର୍କରେ ନାହିଁ ସର୍ବସାଧାରଣ ଶ୍ମଶାନ। ଫଳରେ ଜଣେ ବ୍ୟକ୍ତିର ମୃତ୍ୟୁ ହେଲେ ସେ କେଉଁଠି ଦାହ ହେବ ତାକୁ ନେଇ ସୃଷ୍ଟି ହେଉଛି ସମସ୍ୟା। ବଞ୍ଚିଥିବା ବେଳେ ଖାଇବା, ରହିବା ଭଳି ସମସ୍ୟା ଭଳି କୋଣାର୍କରେ ମରିବା ପରେ ଶବ ଦାହ ପାଇଁ ଶ୍ମଶାନ ଖୋଜାଯିବା ଘଟଣା ଏବେ ବେଶ ଚର୍ଚ୍ଚିତ ଘଟଣା ଭାବେ ପରିଗଣିତ ହେଲାଣି । ୨୦୧୯ ସ୍ୱାୟତ୍ତ ଶାସନ ଦିବସରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଚନ୍ଦ୍ରଭାଗାରେ ଏକ ସ୍ମାର୍ଟ ଶ୍ମଶାନ ହେବ ବୋଲି ଘୋଷଣା କରିଥିଲେ । ନାଟକୀୟ ଭାବେ ପ୍ରଥମଥର ପାଇଁ ବିଧାୟକ ହୋଇ ମନ୍ତ୍ରୀ ପଦ ପାଇଥିବା ଯୁବ ନେତୃତ୍ବଙ୍କ ଘୋଷଣା ଅନ୍ୟ ରାଜନେତାଙ୍କ ଠାରୁ ଟିକେ ଫରକ ରହିବ ବୋଲି ଆଲୋଚନା ହେଉଥିଲା । ମାତ୍ର ତିନିବର୍ଷ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ ମନ୍ତ୍ରୀ ମହୋଦୟଙ୍କ ଘୋଷଣା କେବଳ ଭାଷଣ ବାଜିରେ ସୀମିତ ରହିଛି । ଏଠାରେ ସୂଚନା ଯୋଗ୍ୟକି, ମନ୍ତ୍ରୀଙ୍କ ଘୋଷଣାରୁ ଯଥେଷ୍ଟ ପୂର୍ବରୁ ଅର୍କକ୍ଷେତ୍ର କୋଣାର୍କ ଓ ଏହାର ଆଖପାଖ ଅଂଚଳର ଜନସାଧାରଣଙ୍କ ସୁବିଧା ସୁଯୋଗକୁ ଲକ୍ଷ୍ୟରେ ରଖି ସର୍ବସାଧାରଣ ଶବଦାହର ସୁ-ବ୍ୟବସ୍ଥା ପାଇଁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ସ୍ୱର୍ଗଦ୍ବାର ନାମକ ଏକ ଶ୍ମଶାନ ନିର୍ମାଣ ପାଇଁ ନିଷ୍ପତି ହୋଇଥିଲା । ଏନେଇ ଏନଏସି କାଉନସିଲ ବୈଠକରେ ମଧ୍ୟ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥିବାର ଜଣାପଡ଼େ । ମାତ୍ର ବଷର୍ବର୍ଷ ଧରି କାଉନସିଲ ବୈଠକରେ ଗୃହିତ ହୋଇଥିବା ଏହି ନିଷ୍ପତି କାର୍ଯ୍ୟକାରୀ ହୋଇପାରୁନଥିବା ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ସୃଷ୍ଟି ଜାରି ରହିଛି । ଦୀର୍ଘବର୍ଷ ପୂର୍ବରୁ ପ୍ରସ୍ତାବିତ ଏହି ସୂର୍ଯ୍ୟ ସ୍ୱର୍ଗଦ୍ବାର ନିର୍ମାଣପାଇଁ ୨୦୦୮ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ଶାସନରେ ଥିବା ପୌରପରିଷଦ ର ସାଧାରଣ ବୈଠକରେ ନିଷ୍ପତି ଗୃହିତ ହୋଇଥିଲା । କୋଣାର୍କ ଚନ୍ଦ୍ରଭାଗାରେ ପ୍ରସ୍ତାବିତ ସର୍ବସାଧାରଣ ଶ୍ମଶାନ ସୂର୍ଯ୍ୟ ସ୍ୱର୍ଗଦ୍ବାର ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟଟି ଆରମ୍ଭ ନହୋଇ ଆଣ୍ଠେଇଥିବାର ଜଣାପଡ଼ିଛି । ବର୍ଷବର୍ଷ ଧରି ଫାଇଲ ମଧ୍ୟରେ ବନ୍ଧା ହୋଇ ରହିଥିବା ଏହି ସ୍ୱର୍ଯ୍ୟ ସ୍ୱର୍ଗଦ୍ବାର ଶ୍ମଶାନ ପ୍ରସ୍ତାବ ଫାଇଲ ମଧ୍ୟରେ ଅଣନିଶ୍ୱାସୀ ହୋଇ ମରିଯାଇନାହିଁ ତ ? ଯଦି ଏହି ପ୍ରସ୍ତାବିତ ପ୍ରକଳ୍ପ ଜୀବିତ ରହିଛି ତେବେ କାର୍ଯ୍ୟ କଣ ପାଇଁ ହେଉନାହିଁ ? ଯଦି ମରିଯାଇଛି ତେବେ ଏହି ପ୍ରକଳ୍ପର ଦାହ କେଉଁଠି ଓ କାହା ନିର୍ଦ୍ଦେଶରେ ହେଲା ?ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ସୂଚନା ମୁତାବକ, ଚନ୍ଦ୍ରଭାଗା ତୀର୍ଥ ସନ୍ନିକଟ ଫିସାରୀ କାର୍ଯ୍ୟାଳୟ ନିକଟବର୍ତୀ ଏକସ୍ଥାନରେ ଏହି ଶ୍ମଶାନ ନିର୍ମାଣ ହେବାପାଇଁ ନିଷ୍ପତି ହୋଇଥିଲା । ମାତ୍ର ଏହା ମଧ୍ୟରେ ବର୍ଷବର୍ଷ ଅତିକ୍ରାନ୍ତ ପରେ ମଧ୍ୟ ଏହି ଶ୍ମଶାନ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇପାରି ନାହିଁ । ଫଳରେ ଏବେ କୋଣାର୍କରେ ଏକ ସର୍ବସାଧାରଣ ଶ୍ମଶାନ ନଥିବାରୁ ଶବ ମଶାଣି ଖୋଜିବା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକି ମହାମାରୀ କରୋନା ସମୟରେ ବେଶ ଅନୁଭୁତ ହେବାରେ ଲାଗିଛି| ଘୋଷଣା କୁ ବର୍ଷାଧିକ ଅତିକ୍ରାନ୍ତ ହୋଇଥିବା ବେଳେ ଏହି ପ୍ରକଳ୍ପ କେବେ ସଫଳ ହେଉଛି ତାହା କେବଳ ପ୍ରକଳ୍ପର ବାସ୍ତବତା ହିଁ ଉତ୍ତରଦେବ ବୋଲି ମତ ପ୍ରକାଶ ପାଇଛି ।


