କୋଣାର୍କ ଅର୍ବାନହାଟ ପରିସରରେ କ୍ରାଫ୍ଟ ବଜାର ଉଦଘାଟିତ
|
କୋଣାର୍କ ଅର୍ବାନହାଟ ପରିସରରେ କ୍ରାଫ୍ଟ ବଜାର ଉଦଘାଟିତ
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ସ୍ଥିତ ଅର୍ବାନହାଟ ପରିସରରେ ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତ ଓ ଓଡିଶା ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ମିଳିତ ସହାୟତାରେ ଓଡିଶା ସମବାୟ ହସ୍ତଶିଳ୍ପ ନିଗମ (ଉତ୍କଳିକା) ଆନୁକୁଲ୍ୟରେ କୋଣାର୍କ ସ୍ଥିତ ଅର୍ବାନହାଟ ପରିସରରେ ଜୁନ ୪ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ଜାତୀୟ ସ୍ତରୀୟ କ୍ରାଫ୍ଟ ବଜାର ଉଦଘାଟିତ ହୋଇଯାଇଛି । ଏହି କ୍ରାଫ୍ଟ ବଜାରକୁ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି କ୍ରାଫ୍ଟ ମେଳାରେ ଓଡିଶା ତଥା ଓଡିଶା ବାହାରୁ ୧୦୦ ଜଣ କାରିଗର ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ଷ୍ଟଲ ମାନ ବୁଲି ଦେଖିବା ସହ କାରିଗର ମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ଓଡିଶା ତଥା ଓଡିଶା ବାହାରୁ କାରିଗର ମାନଙ୍କ ଦ୍ଵାରା ପ୍ରସ୍ତୁତ ଶିଘଂ, ବାଉଁଶ, ବେତ, ପିପିଲି ଚାନ୍ଦୁଆ, ପଥର ଖୋଦେଇ, କାଠ ଖୋଦେଇ, କଂସା ଓ ପିତ୍ତଳକାମ, ଆଦିବାସୀ ଜୁଏଲାରୀ, ଇମିଟେସନ ଜୁଏଲାରୀ, ଲୌହ କାମ, କାଇଁଚ, କତା କାମ, ସମ୍ବଲପୁରୀ ଓ ରୂପା ତାରକସି କାମ ଆଦି ସାମଗ୍ରୀ ଗୁଡିକୁ ନେଇ ଷ୍ଟଲମାନ ପ୍ରଦର୍ଶିତ ହୋଇଛି। ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ତଥା ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ୧୦ଦିନ ବ୍ୟାପି କ୍ରାଫ୍ଟ ବଜାରରେ ୫୦ ହଜାର ଜନସାଧାରଣ ଓ ପର୍ଯ୍ୟଟକ ସମାଗମ ହେବାର ସମ୍ଭାବନା ଥିବାବେଳେ ପ୍ରାୟ ୪୦ଲକ୍ଷ ଟଙ୍କାର ବ୍ୟବସାୟ ହେବ ବୋଲି ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ପଟେଲ ଆଶାବ୍ୟକ୍ତ କରିଛନ୍ତି ।
|
|


