କୋପରେଟିଭ ସୋସାଇଟିର ଯୈାନ ନିର୍ଯ୍ୟାତନା ମାମଲା…
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ଜନସେବା ସଂଗଠନ(ଭାଷା ଓ ଭୂମିର ସୁରକ୍ଷା ଅଭିଯାନ) ପକ୍ଷରୁ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ମହିଳା କର୍ମଚାରୀଙ୍କୁ ଯୈାନ ନିର୍ଯ୍ୟାତନା ମାମଲାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ପିଡିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବାକୁ ଶନିବାର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ଜନୈକ ମହିଳା କର୍ମଚାରୀଙ୍କୁ ନିର୍ଯ୍ୟାତନା ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଯିବାରୁ ସାଧାରଣ ଜନତାଙ୍କର ଆଇନ ଉପରୁ ଭରସା ତୁଟିବାକୁ ବସିଛି । ତେଣୁ ଏହି ଘଟଣାର ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ପିଡିତା ମହିଳାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବାକୁ ଓଡିଶା ଜନସେବା ସଂଗଠନର ରାଜ୍ୟ ସଭାପତି ଶୋଭନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସଂଗଠନର ଜିଲ୍ଲା ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ, ବିକାଶ ଚନ୍ଦ୍ର ସ୍ୱାଇଁ, ଚନ୍ଦନ କୁମାର ସାହୁ, ଦିଲ୍ଲିପ କୁମାର ସାହୁ, ମନୋଜ ନାୟକ, ନଳିନୀ ବେହେରା,ଭାଗିରଥୀ ଜେନା, ପ୍ରଫୁଲ୍ଲ ମିଶ୍ର,ପ୍ରଦିପ କୁମାର ସାହୁ, ଉମେଶ ଚନ୍ଦ୍ର ପାଢୀଙ୍କ ସମେତ ସଂଗଠନର ଅନ୍ୟ ସଦସ୍ୟମାନେ ହାତରେ କଳାପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିବା ସେମାନେ ସୂଚନା ଦେଇଛନ୍ତି ।


