କୋଭିଡ୍ ଆଇନକୁ ଉଲଂଘନ କରି ମହିଳା ସଂଘର ବୈଠକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ମହିଳା ମହାସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋଭିଡ୍ ଆଇନକୁ ଉଲଂଘନ କରି କରାଯାଇଥିବା ଅଭିଯୋଗ ହୋଇଛି । ବୈଠକରେ ମହିଳା ମହାସଂଘର ମୁଖ୍ୟ ପ୍ରସଙ୍ଗ ବିଷୟରେ ଆଲୋଚନା କରା ନଯାଇ ମହାସଂଘର କର୍ମକର୍ତ୍ତା ପରିବର୍ତ୍ତନ ପାଇଁ ଚାପ ପ୍ରୟୋଗ କରାଯିବା ସହ ଉପସ୍ଥିତ ସଭ୍ୟା ମାନଙ୍କ ଠାରୁ ଦସ୍ତଖତ ନିଆଯାଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଆଜିର ବୈଠକରେ କେତେକ ଜୋନ୍ର ସି.ଆର୍.ପି ଚୟନ ଓ ନ୍ୟୁଉଟ୍ରି ଗାର୍ଡନ ବାବଦ ଆଲୋଚନା କରିବା ପାଇଁ ମହାସଂଘର ସଭାନେତ୍ରୀ ଓ ସଂପାଦକଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା । କିନ୍ତୁ ରାମଚନ୍ଦ୍ରପୁର ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ବୈଠକରେ ବିପିଏମ୍ ବୀଣାପାଣି ପଣ୍ଡା ଓ ନୋଡାଲ ଅଫିସର ସସ୍ମିତା ସାହୁ ପହଂଚିବା ପରେ ଏମ୍.ବି.କେ ଜ୍ୟୋତିର୍ମୟୀ ଶଂଖୁଆ ଓ ସି.ଆର୍.ପି ଲକ୍ଷ୍ମୀପ୍ରିୟା ମଲ୍ଲିକ ଗେଟ୍ରେ ତାଲା ପକାଇ ଦେଇଥିଲେ । ଏପରିକି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ପୋଲିସ ପହଞ୍ôଚବା ପରେ ତାଲା ଖୋଲା ଯାଇଥିଲା । କିନ୍ତୁ ହଲ୍ ଭିତରେ ପ୍ରାୟ ୨୦ରୁ ୩୦ ମହିଳା କୋଭିଡ୍ ଆଇନକୁ ଉଲଂଘନ କରି ବୈଠକ କରୁଥିବାର ଦେଖାଯାଇଥିଲା । ବୈଠକ ଆହ୍ୱାନର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରାନଯାଇ ସଭାନେତ୍ରୀ ଓ ସଂପାଦିକାଙ୍କୁ ପଦବୀରୁ ହଟାଇବା ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ଉପସ୍ଥିତ ସଭ୍ୟ ମାନେ ପ୍ରତିବାଦ କରିଥିଲେ ମଧ୍ୟ ବିପିଏମ୍ ଓ ନୋଡାଲ ଅଫିସର କାହାରି କଥା ନଶୁଣି ଉପସ୍ଥିତ ଥିବା କିଛି ସଭ୍ୟଙ୍କ ଦସ୍ତଖତ ନେଇ ଚାଲି ଯାଇଥିଲେ । ମହାସଂଘର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୨ ବର୍ଷ ପୂରଣ ହୋଇଯାଇଥିବାରୁ ସେମାନେ ଆଉ କାର୍ଯ୍ୟକର୍ତ୍ତା ଭାବରେ ରହିପାରିବେ ନାହିଁ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚିତ ହେବେ ବୋଲି ବୈଠକରେ ବିପିଏମ କହିଥିବା ଉପସ୍ଥିତ ସଭ୍ୟ ପ୍ରକାଶ କରିଛନ୍ତି । ସେହିପରି ବୈଠକରେ ଅଧିକାଂଶ ସଭ୍ୟ କର୍ମକର୍ତ୍ତା ପରିବର୍ତ୍ତନ ଚାହୁଁ ନଥିବା ବେଳେ ବିପିଏମ୍ ଜବରଦସ୍ତ ସଭାନେତ୍ରୀ ଓ ସଂପାଦିକାଙ୍କୁ ବାହାର କରିବା ନେଇ ଉପସ୍ଥିତ ସଭ୍ୟାଙ୍କର ଦସ୍ତଖତ ନେଇ ଚାଲି ଗଲେ ବୋଲି ଅଭିଯୋଗ ହୋଇଛି । ଏହାକୁ ନେଇ ଉପସ୍ଥିତ ସଭ୍ୟାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଥାଉକି, ଉକ୍ତ ପଞ୍ଚାୟତରେ ମହିଳା ମହାସଂଘ ନେତୃତ୍ୱରେ ଗତବର୍ଷ ଚାଷୀ ମାନଙ୍କ ଠାରୁ ଧାନ କିଣା କାର୍ଯ୍ୟ ଶାନ୍ତି ଶୃଂଖଳାର ସହ ହୋଇଥିଲା । ସେତେବେଳେ ମହାସଂଘ ଧାନ କିଣା ପାଇଁ ମଣ୍ଡି ବାବଦ ଟଙ୍କା ଖର୍ଚ୍ଚ କରିଥିଲା । ଆଜି ପର୍ଯ୍ୟନ୍ତ ଉକ୍ତ ଟଙ୍କା ପୈଠ କରାଯାଇନାହିଁ । ହିସାବ ଦିଆଯାଇଥିଲେ ମଧ୍ୟ ବ୍ଲକର ବିପିଏମ୍ ସବୁ ବେଳେ ରାଜନୈତିକ ହାତବାରିସ ସାଜି ସମସ୍ୟା ସୃଷ୍ଟି କରିଛନ୍ତି । ତେଣୁ ରାଜନୈତିକ ଷଢଯନ୍ତ୍ର କ୍ରମେ ବେଆଇନ ଭାବରେ ଉକ୍ତ ମହାସଂଘର ସଭାନେତ୍ରୀଙ୍କୁ ଅପସାରଣ ପାଇଁ ଉଦ୍ୟମ କରାଯାଉଥିବା ଜଣାଯାଇଛି । କୋଭିଡ୍ ସମୟରେ ଜଣେ ବ୍ଲକର ବିପିଏମ୍ ସରକାରୀ କାର୍ଯ୍ୟାଳୟରେ ତାଲା ପକାଇ କିଭଳି ବୈଠକ କରାଇଲେ ତାହା ତଦନ୍ତ କରାଯିବା ସହ ଉକ୍ତ ବୈଠକକୁ ବେଆଇନ କରିବାକୁ ସଭାନେତ୍ରୀ ଓ ସଂପାଦିକା ଦାବୀ କରିଛନ୍ତି ।


