ଗଜପତିରେ ପୁଣି ସରକାରୀ ଦେଶୀମଦ ଦୋକାନ ଆରମ୍ଭ ହେବ : ଲଟେରୀ ମାଧ୍ୟମରେ ଆନ୍ଧ୍ର ମଦ ବ୍ୟବସାୟୀଙ୍କୁ ମିଳିଲା ଟେଣ୍ଡର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ପୁଣି ସରକାରୀ ଦେଶୀ ମଦ ଦୋକାନ ଆରମ୍ଭ ହେବାକୁ ଯାଉଛି । ଗତକାଲି ସରକାରୀ ଦେଶୀମଦ ଦୋକାନ ଆରମ୍ଭ ପାଇଁ ଲଟେରୀ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଏନେଇ ଲଟେରୀ ଉଠାଣ ପ୍ରକ୍ରିୟାରେ ଆନ୍ଧ୍ରର ମଦବ୍ୟବସାୟୀ ଓଡିଶାର ଗଜପତିରେ ଦେଶୀମଦ ଦୋକାନ ଖୋଲିବା ପାଇଁ ଟେଣ୍ଡର ଦ୍ୱାରା ନିଯୁକ୍ତି ହୋଇଛନ୍ତି । ଗତ ୪ବର୍ଷ ହେଲା ପାରଳାଖେମୁଣ୍ଡି ସହର ଏବଂ ନୂଆଗଡ ଓ ଆର୍.ଉଦୟଗିରି ବ୍ଲକରେ ଗତ ୨ବର୍ଷ ଧରି ଦେଶୀମଦ ଦୋକାନ ବିକ୍ରିବଟା ବନ୍ଦ ଥିଲା । ବର୍ତ୍ତମାନ ପାରଳାଖେମୁଣ୍ଡି ଓ ଉଦୟଗିରି ଠାରେ ଏହି ଆନ୍ଧ୍ର ଦେଶୀମଦ ବ୍ୟବସାୟୀ ବର୍ତ୍ତମାନ ଠାରୁ ଦେଶୀମଦ ବିକ୍ରି କରିବେ । ନୂଆଗଡ ପାଇଁ ଓଡିଶାର ଜଣେ ବ୍ୟବସାୟୀ ଲଟେରୀ ଟେଣ୍ଡର ଦ୍ୱାରା ଦୋକାନ ହାତୋଇଛନ୍ତି । ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ ଏନେଇ କହିଛନ୍ତି, ସରକାରୀ ବିଜ୍ଞପ୍ତି ପ୍ରକାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଜୋନ୍ ନଂ-୧ ସହ ଆର୍.ଉଦୟଗିରି ଏବଂ ନୂଆଗଡ ପାଇଁ ଟେଣ୍ଡର ପ୍ରକ୍ରିୟାରେ ମୋଟ ୫ଜଣ ଭାଗ ନେଇଥିଲେ । ଏଥିରୁ ୩ଜଣ ଦେଶୀ ମଦ ଦୋକାନ ପାଇଁ ଲଟେରୀ ଉଠାଣ ମାଧ୍ୟମରେ ଅନୁମତି ପାଇଛନ୍ତି । ଏମାନେ ଏହି ୩ଗୋଟି ଜୋନ୍ ତଥା ପାରଳାଖେମୁଣ୍ଡି-୧ ଜୋନରେ ୧୫ଗୋଟି ଦୋକାନ ଏବଂ ନୂଆଗଡରେ ୧୫ ଓ ଆର୍.ଉଦୟଗିରି ଅଞ୍ଚଳରେ୧୫ଗୋଟି ସ୍ଥାନରେ ଦେଶୀମଦ ବିକ୍ରି ଦୋକାନ କରିପାରିବେ । ଦଶେୀମଦ ବିକ୍ରୀ ପୂର୍ବରୁ ଅବକାରୀ ବିଭାଗର ଆବଶ୍ୟକୀୟ ଯାଞ୍ଚ ପରେ ମଦ ବିକ୍ରୀ ହେବ । ପାରଳାଖେମୁଣ୍ଡି ଜୋନ୍ ପାଇଁ ମାସିକ ୯ଲକ୍ଷ ଟଙ୍କା ଓ ଆର୍.ଉଦୟଗିରି ଓ ନୂଆଗଡ ପାଇଁ ମାସିକ ୫ଲକ୍ଷ ଟଙ୍କା ଦେୟରେ ଏହି ଟେଣ୍ଡର ସମାପ୍ତ ହୋଇଛି । ଗତକାଲି ଏହି ଲଟେରୀ କାର୍ଯ୍ୟକ୍ରମ ପ୍ରଥମେ ନିୟମ ପ୍ରକାରେ ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟର ଏକ କୋଠରୀ ଠାରେ କଡା ସୁରକ୍ଷା ବଳୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପରିଚାଳନା କରିଥିଲେ । ୩ଗୋଟି ଦେଶୀ ମଦ ଦୋକାନ ଗୁଡିକର ଲଟେରୀ ଚିଠାକୁ ନେଇ ଗୋଟିଏ ପରେ ଗୋଟିଏ ଉଠାଣ କରାଯାଇଥିଲା । ଏହି ଲଟେରୀ ମାଧ୍ୟମରେ ନାମ ଉଠିଥିବା ବ୍ୟକ୍ତି ହେଲେ ପାରଳାଖେମୁଣ୍ଡି ଜୋନ୍ ନମ୍ବର-୧ ଓ ଆର୍.ଉଦୟଗିରି ନିମନ୍ତେ ପି.ରାଜାରାଓ ରେଡ୍ଡି ଏବଂ ନୂଆଗଡ ପାଇଁ ଡି.ଲକ୍ଷ୍ମୀ ନାରାୟଣ ସୁବୁଦ୍ଧିଙ୍କ ନାମରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ, ଡେପୁଟି କଲେକ୍ଟର ସେଖ୍ ସଦ୍ଗିର୍ ପ୍ରମୁଖ ଉପସ୍ଥିତଥିଲେ ।


