ଗରିବଙ୍କ ବାସହୀନ ଯୋଜନା କାହା ପାଇଁ ? ୧୦ବର୍ଷ ଧରି ଘରଟିଏ ପାଇଁ ଘୁରି ବୁଲୁଛନ୍ତି ମଜୁରିଆ ଦମ୍ପତ୍ତି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗରିବ,ବାସହୀନ ଲୋକଙ୍କୁ ସରକାର ବିଭିନ୍ନ ଯୋଜନାରେ ବାସଗୃହ ଯୋଗାଇ ଆସୁଛନ୍ତି । ହେଲେ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ଗରିବ ମହାଙ୍କାଳୀ ଓ ତାଙ୍କ ସ୍ୱାମୀ ଉଭୟ ଦିନ ମଜୁରୀ ଖଟି ଜୀବନ ବିତାଉଛନ୍ତି । ବାରମ୍ବାର ବାତ୍ୟା,ଝଡବର୍ଷା ଆଦିରେ ତାଙ୍କରି ଘରଟି ସମ୍ପୁର୍ଣ ଭାବେ ନଷ୍ଟ ହୋଇଯାଇଛି । ବିପଦପୂର୍ଣ ଅବସ୍ଥାରେ ସେମାନେ ଏହି ଘରେ ବହୁ ବର୍ଷ ଧରି ରହିଛନ୍ତି । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେଲାଣି ପଞ୍ଚାୟତ ଅଫିସକୁ ଦଉଡୁଛନ୍ତି ଘର ଖଣ୍ଡିଏ ପାଇଁ । ଆର୍ଥିକ ଅସମର୍ଥ ଓ ସମସ୍ତ ଯୋଗ୍ୟତା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଜନାରେ ଘରଟିଏ ମିଳୁନି । ବନ୍ୟା ବାତ୍ୟା ଯେପରି ଚିର ସହଚର ହୋଇଯାଇଛି ଏହି ପରିବାରଟି ପାଇଁ । ଯଦି ଅଦିନିଆ ବର୍ଷା ହୁଏ ତେବେ ଘରଟି ମାଟିରେ ମିଶିବା ସୁନିଶ୍ଚିତ । ଆଉ ଧନଜୀବନ ହାନୀ ହେବା ଆଶଙ୍କା ମଧ୍ୟ ରହିଛି । ଉଭୟଙ୍କ ଆଧାର କାର୍ଡ,ଜବ୍ କାର୍ଡ ଓ ଅନ୍ୟାନ ଜରୁରୀ କାଗଜ ପତ୍ର ସବୁକିଛି ସାଙ୍ଗରେ ଧରି ବିଭିନ୍ନ ଅଫିସର ଦ୍ୱାରସ୍ଥ ହେଉଛନ୍ତି ସରକାରୀ ସହାୟତା ପାଇଁ । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଯୋଜନା ମାଧ୍ୟମରେ ଘରଟିଏ ପାଇପାରି ନାହାଁନ୍ତି । କୌଣସି ଯୋଗ୍ୟ ପରିବାର ଆବାସ ପାଇବା ଯୋଜନାରୁ ବଞ୍ଚିତ ହେବେନାହିଁ ବୋଲି ସରକାର ଘୋଷଣା କରୁଥିବା ବେଳେ ଏହି ପରିବାରକୁ କାହିଁକି ଘରଟିଏ ଦିଆଯାଉନି ବୋଲି ସାଧାରଣରେ ପ୍ରଶ୍ନ କରାଯାଇ ସରକାର ଓ ଗଜପତି ଜିଲ୍ଲା ପ୍ରସାସନ ତୁରନ୍ତ ଘରଟିଏ ଯୋଗାଇ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ।


