ଗୋଚର ଜମିରୁ ଜବର ଦଖଲ ଉଚ୍ଛେଦ ଘଟଣା
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ତହସିଲ ଅଣିଜୋ ରାଜସ୍ୱ ନିରୀକ୍ଷକ ଅଧିନ ତେଲନଟି ଗ୍ରାମରେ ଥିବା ଚାରଣ ଭୂମି ଖାତା ନଂ- ୨୯୦, ୨୮୬ ପ୍ଲଟ ନଂ-୨୯୭, ୨୮୬, ୨୯୮କୁ କିଛି ବ୍ୟକ୍ତି ଜବର ଦଖଲ କରି ରଖିଛନ୍ତି । ଫଳରେ ଗ୍ରାମର ଗୃହ ପାଳିତ ପଶୁ ମାନେ ଚରିବା ନେଇ ଅସୁବିଧା ଭୋଗ କରି ଆସୁଛନ୍ତି । ଜବର ଦଖଲ ମୁକ୍ତ କରିବା ନେଇ ଗ୍ରାମବାସୀ ଭଦ୍ରକ ଜିଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ପରେ ବନ୍ତ ତହସିଲ ଓ ଆଗରପଡା ଥାନାଧିକାରୀଙ୍କୁ ବହୁବାର ଅବଗତ କରାଇ ଅଣିଜୋ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ ଥର ଗଣଧାରଣାରେ ବସିଥିଲେ । ସେତେବେଳେ ଜବର ଦଖଲ ଉଚ୍ଛେଦ କରାଯିବା ନେଇ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା । ପ୍ରତିଶୃତି ପୂରଣ ନ ହେବାରୁ ଗତ ମାସ ୧୦ ତାରିଖରେ ଶତାଧିକ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଯାଇ ବନ୍ତ ତହସିଲ ସମ୍ମୁଖରେ ଗଣଧାରଣା ଦେବା ସହ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ । ଓଡିଶା କୃଷକ ସଭାର ସଭାପତି ପ୍ରଭାସ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ତ୍ୱରେ ଅନୁଷ୍ଠିତ ଗଣଧାରଣାରେ ନାରୀ ନେତ୍ରୀ ରୋଜାଲିନ ସାମ୍ୟବାଦୀ, ସିପିଆଇ(ଏମ୍)ଯୁବନେତା ପ୍ରତାପ ସେଠୀ, ସିଟ୍ଟୁ ନେତା ମହେଶ୍ୱର ନାୟକ, ଅଭିମନ୍ୟୁ ସେଠୀ, ଦାମୋଦର ଜେନା, ବଳରାମ ଜେନା, ଜାନକୀ ସେଠୀ, କନକ ଜେନା, ମାଳତୀ ଜେନା, ହରପ୍ରିୟା ଜେନା, ନାରାୟଣ ଲେଙ୍କା ସାମିଲ ଥିଲେ । ସେତେବେଳେ ତହସିଲ ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକ, ପୂର୍ତ୍ତ ବିଭାଗ ନିର୍ବାହି ଯନ୍ତ୍ରୀ ଏବଂ ଆଗରପଡା ଥାନାଧିକାରୀଙ୍କୁ ଲିଖିତ ଅବଗତ କରାଯାଇ ଗତ ମାସ ୧୪ରେ ଜବର ଦଖଲ ଉଚ୍ଛେଦ କରିବା ନେଇ ପ୍ରତିଶୃତି ଦେବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ମାତ୍ର ଦେଢମାସ ବିତି ଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ମାପ ଚୁପ କରାଯାଉ ନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପକ୍ଷରେ ଗତ ସୋମବାର ବନ୍ତରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ପୁନର୍ବାର ଗ୍ରାମର ବଳଭଦ୍ର ଜେନା, ବାବାଜି ସେଠୀ, ଯୁଧିଷ୍ଟିର ବାରିକଙ୍କ ନେତୃତ୍ତ୍ୱରେ ଅଭିଯୋଗ କରାଯାଇଛି । ତୁରନ୍ତ ଚାରଣ ଭୂମି ଜବର ଦଖଲ ମୁକ୍ତ ନହେଲେ ଆସନ୍ତା ମାସ ୬ ତାରିଖରେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।


