ଗୋଟିଏ ରାତିରେ ୩ ଘରୁ କଳାକନା ବୁଲାଇଲେ ଲୁଟେରା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଏରେଣ୍ଡ୍ରା ପଞ୍ଚାୟତ ବିଶ୍ବନାଥପୁର ଗ୍ରାମ ର ନୂଆସାହିରେ ଗୁରୁବାର ବିଳମ୍ବିତ ରାତିରେ ଲୁଟେରା ମାନେ ୩ ଘରୁ କଳାକନା ବୁଲାଇ ଥିବା ଜଣାପଡିଛି । ଲୁଟେରା ମାନେ ଗତକାଲି ରାତିରେ ଗ୍ରାମର ଲିଟୁ ମହାରଣାଙ୍କ ହାର୍ଡୱେର ଦୋକାନ କବାଟ ଭାଙ୍ଗି କିଛି ନଗଦ ଟଙ୍କା ନେଇଥିବା ବେଳେ ସୁରେନ୍ଦ୍ର ଜେନାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଘରେ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସେହିପରି ଚୋରମାନେ ଜିତୁ କରଣ ନାମକ ବ୍ୟକ୍ତି ଙ୍କ ଘରେ ପଶିବା ପାଇଁ ଉଦ୍ୟମ କରୁଥିବା ସମୟରେ ଜିତୁଙ୍କ ପରିବାର ସଦସ୍ୟଙ୍କ ନିଦ ଭାଙ୍ଗିବା ପରେ ଚିତ୍କାର ଶୁଣି ଲୁଟେରା ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଶୁକ୍ରବାର ସକାଳୁ ପାଟପୁର ଥାନା ପୋଲିସ ଖବରପାଇ ଉକ୍ତ ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଫେରିବା ସହ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।


