ଗୋରୁମହିଷାଣୀ ଲୌହ ଖଣିରେ ସ୍ଥାନୀୟ ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ ଭଂଜସେନା ଉଠାଇଲା ସ୍ବର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଏସିଆ ମହାଦେଶର ସର୍ବପୁରାତନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ଗୋରୁମହିଷାଣୀ ଲୌହ ଖଣି ଅଂଚଳରେ ଦିର୍ଘ ୪୦ ବର୍ଷ ହେଲା ଲୌହ ଖଣି ଚାଲୁଅଛି ।ହେଲେ ବିକାଶର ଛାପ ନାହିଁ କି ଦାଦନ ସଂଖ୍ୟା କମୁନାହିଁ ଉତ୍କଟ ବେକାରୀ ବୃଦ୍ଧି ପାଇଛି । ଅଂଚଳର ଯୁବଗୋଷ୍ଠୀ ପେଟ ଚାଖଣ୍ଡେ ପାଇଁ ହାଇଦ୍ରାବାଦ, ବାଙ୍ଗାଲୋର, ଦିଲ୍ଲୀ, ମୁମ୍ବାଇ ମୁହାଁ ।ଚଳିତ ମାର୍ଚ୍ଚ ଏପ୍ରିଲ୍ ୨୦୨୦ରୁ ଗୋରୁମହିଷାଣୀ ଲୌହଖଣିର ନବୀକରଣ ହୋଇଛି ।କରୋନା ମହାମାରୀ ସମୟରେ ପ୍ରବାସୀ ଯୁବ କୁଶଳୀ ଶ୍ରମିକ ଓ ସ୍ଥାନୀୟ ଯୁବ କୁଶଳୀ ଶ୍ରମିକ ଲୌହ ଖଣିରେ କାମ କରିବା ପାଇଁ ଅଣ୍ଟା ଭିଡିଛନ୍ତି ।ହେଲେ ଆଧୁନିକ ବୈଷୟିକ ଯାନ୍ତ୍ରିକ ବିଦ୍ୟାରେ ୮୦ ଭାଗ ଖଣି କାମ ମେସିନ କାମ କରୁଛି । ତେଣୁ ଯୁବକଙ୍କ ଥଇଥାନ ପାଇଁ ପ୍ରବେଶର ପଥ ବନ୍ଦ । ସ୍ଥାନୀୟ ଯୁବକ କିଭଳି ଚାକିରି ଖଣ୍ଡିଏ ପାଇବେ ସେଥିପାଇଁ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ବୈପ୍ଲବିକ ଅନୁଷ୍ଠାନ ‘ଭଂଜସେନା’ ଅଣ୍ଟା ଭିଡିଛି ।ବେକାର ଶିକ୍ଷିତ କୁଶଳୀ,ଅଣକୁଶଳୀ ଯୁବକଙ୍କୁ ଖଣିରେ ନିଯୁକ୍ତି ପାଇଁ ଏକ ବୈଠକ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି ।’ ଭଂଜସେନା ‘ର ପ୍ରାଣ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଯୁବକଙ୍କୁ ଥଇଥାନ କର, ଲୁହାପଥର ରପ୍ତାନି କର ନଚେତ ଆଗାମୀ ଦିନରେ ନାକାବନ୍ଦି କରାଯିବ ବୋଲି ଉପସ୍ଥିତ ଦଳୀୟ ସଦସ୍ୟ ମାନେ ମତ ରଖିଥିଲେ । ଆସନ୍ତା ନଭେମ୍ବର ୪ରେ ବାମନଘାଟୀ ଓ ପଞ୍ଚପିଢର ବୁଦ୍ଧିଜୀବୀ, ସାମ୍ବାଦିକ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସାମାଜିକ କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ଏକ ସିଦ୍ଧାନ୍ତ ନିଆଯିବା ସହ ସେହି ଅନୁସାରେ ଆଗକୁ ନିଷ୍ପତ୍ତି ନିଆଯିବ । ଏହି ବୈଠକରେ ମୋହିତ ବିଶୋଇ, ଲକ୍ଷ୍ମଣ ଟୁଡୁ, ରଂଜିତ ବେରା,ଅମର ଦେଓ ହେମ୍ବ୍ରମ, ଶୁଭେନ୍ଦୁ ମହାନ୍ତି, ଅଭିଷେକ ଶର୍ମା,ଶ୍ଯାମ ସୁନ୍ଦର ଜ୍ୟୋତିଷ, ଅଂଜନ ବରାଳ,ଆକାଶ ମହାନ୍ତି,ଶିବରାଜ ମହାନ୍ତି,ରାମଜାନ ବେଗ,ରାକେଶ ସାହୁ,ଚିକୁ ପଟ୍ଟନାୟକ, ନିମାଇଁ ତ୍ରିପାଠୀ ଏବଂ ଶୁଭଂ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।


