ଚାପୁଣ୍ଡିଆରେ ମନରେଗା ଯୋଜନାରେ ମେସିନି କାମକୁ ବିରୋଧ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଚାପୁଣ୍ଡିଆ ଗ୍ରାମରେ ଖେଳ ପଡିଆ ନିର୍ମାଣ ବେଳେ ଉତ୍ତେଜନା ପ୍ରକାଶ ପାଇଛି । ସୁଚନାରୁ ଜଣାଯାଇଛି ଯେ ଚାପୁଣ୍ଡିଆ ଗ୍ରାମରେ ମନରେଗା ଯୋଜନାରେ ଏକ ଖେଳ ପଡିଆ ନିର୍ମାଣ ଲାଗି ଅନୁଦାନ ଯୋଗାଇ ଦିଆଯାଇଛି । ଗ୍ରାମର କିଛି ବ୍ୟକ୍ତି ଆଜି ବିନା ସୁଚନା ଫଳକରେ ଏବଂ ଜଂଗଲ ଜମି କିସମରେ ଥିବା ଏକ ପଡିଆ ଉପରେ ମେସିନି ଟ୍ରାକ୍ଟର ଲଗାଇ ମାଟି ପକାଇବାରୁ କିଛି ଲୋକ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ସେଠାରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିରୋଧ କରିଥିବା ଲୋକମାନେ ତୁରନ୍ତ ଏନେଇ ବିଡିଓଙ୍କ ସମେତ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇ କାମକୁ ବନ୍ଦ କରିବାକୁ ଦାବି ଜଣାଇଛନ୍ତି । ଗାଁ ଗଣ୍ଡାରେ କାମ ମିଳୁନଥିବାବେଳେ ଲୋକମାନେ ବାହାକୁ ଦାଦନ ଖଟିବାକୁ ଯାଉଛନ୍ତି । ଏପରି ସ୍ଥିତିରେ ଶ୍ରମିକଙ୍କ ବଦଳରେ ମେସିନିରେ କାମ କରାଇବା କେତେଦୁର ଯଥାର୍ଥ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।


