ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନ୍: ରହିତାଦେଶ ଦେଲେନି ସୁପ୍ରିମ୍ କୋର୍ଟ୪ ସପ୍ତାହରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ, ନଭେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଉପରେ ସୁପ୍ରିମ କୋର୍ଟ ଆଜି ରହିତାଦେଶ ଦେବାକୁ ମନା କରିଦେଇଛନ୍ତି । ଉକ୍ତ ଆଇନ ଅନୁଯାୟୀ ଜମ୍ମୁ କଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଦିଆଯିବ । ଜମ୍ମୁ ଏବଂ କଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ହେବ ଏବଂ ଲଦାଖ ଆଉ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ହେବ । ଆସନ୍ତା ୩୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ ।
ବିଚାରପତି ଏନ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠରେ ଏହି ମାମଲାର ଶୁଣାଣି ଖୁବ୍ କମ ସମୟ ପାଇଁ ହୋଇଥିଲା । ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ କଶ୍ମୀର ପୁନର୍ଗଠନକୁ ବିରୋଧ କରି ହୋଇଥିବା ମାମଲା ଗୁଡ଼ିକର ଶୁଣାଣି ଖଣ୍ଡପୀଠ କରିଥିଲେ । କିନ୍ତୁ ଏହି ମାମଲାରେ କେନ୍ଦ୍ର ସରକାର ଏବଂ ଜମ୍ମୁ କଶ୍ମୀର ପ୍ରଶାସନକୁ ମଗାଯାଇଥିବା ପ୍ରଶ୍ନର ଉତ୍ତର ଏଯାଏଁ ଦାଖଲ ହୋଇ ନଥିବାରୁ ଖଣ୍ଡପୀଠ ତୁରନ୍ତ ଏହି ମାମଲାର ଶୁଣାଣିକୁ ଶେଷ କରିଦେଇଥିଲେ । ପ୍ରାୟ ଦୁଇ ମାସ ପୂର୍ବେ ଆଇନଜୀବୀ ଏମ ଏଲ ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଆଧାରରେ ସୁପ୍ରିମ କୋର୍ଟ କେନ୍ଦ୍ର ଏବଂ ଜମ୍ମୁ କଶ୍ମୀର ପ୍ରଶାସନଠାରୁ ଅଗଷ୍ଟ ୨୮ ତାରିଖରେ ଜବାବ ମାଗିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ କେ କେ ଭେନୁଗୋପାଳ ମାମଲା ପରିଚାଳନା କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜବାବ ଦାଖଲ ନେଇ ସେ ଅଧିକ ସମୟ ମାଗିଥିଲେ । ଜମ୍ମୁ କଶ୍ମୀର ପାଇଁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲା ପରିଚାଳନା କରିଥିଲେ । ଉଭୟ ଶ୍ରୀ ଭେନୁଗୋପାଳ ଏବଂ ଶ୍ରୀ ମେହେଟ୍ଟା ଅଧିକ ସମୟ ମାଗିବା ପରେ ଖଣ୍ଡପୀଠ ଏଥିପାଇଁ ତୁରନ୍ତ ଅନୁମତି ଦେଇଥିଲେ । ଜବାବ ଦାଖଲ ପାଇଁ ସେମାନଙ୍କୁ ୪ ସପ୍ତାହ ସମୟ ଦିଆଯାଇଛି । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି । ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଅର୍ଥାତ୍ ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନ କାର୍ଯ୍ୟକାରୀ ହେବାର ୧୫ ଦିନ ପରେ ଏହି ମାମଲାର ଶୁଣାଣି ହେବ ।
ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରାଜୁ ରାମଚନ୍ଦ୍ରନ କହିଥିଲେ, ପୁନର୍ଗଠନ ଆଇନ ଅକ୍ଟୋବର ୩୧ ତାରିଖରୁ କାର୍ଯ୍ୟକାରୀ ହେବ । ତେଣୁ ତାହା ପରେ ଏହି ମାମଲାର ଶୁଣାଣି ଅର୍ଥ କିଛି ରହିବ ନାହିଁ । ଏଥିସହିତ ପୁନର୍ଗଠନ ଆଇନ କାର୍ଯ୍ୟକାରୀ ହେବା ପରେ ସୀମା ପୁନନିର୍ଦ୍ଧାରଣ ହେବ । ଥରେ ସୀମା ପୁନନିର୍ଦ୍ଧାରଣ ହେଲେ ପଛକୁ ହଟିବା ସମ୍ଭବ ହେବନାହିଁ । ତେବେ ଖଣ୍ଡପୀଠ କହିଥିଲେ, କେନ୍ଦ୍ର ସରକାର ଏବଂ ଜମ୍ମୁ କଶ୍ମୀର ପ୍ରଶାସନ ସେମାନଙ୍କ ଜବାବ ଦାଖଲ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ସେମାନଙ୍କ ଜବାବ ନମିଳିବା ପର୍ଯ୍ୟନ୍ତ କିଭଳି ମାମଲାର ବିଚାର ଆଗକୁ ବଢ଼ିବ ବୋଲି ଖଣ୍ଡପୀଠ କହିଥିଲେ । ଖଣ୍ଡପୀଠ ଏହା ମଧ୍ୟ କହିଥିଲେ, ଯଦି ଆବେଦନକାରୀଙ୍କ ସପକ୍ଷରେ ରାୟ ଯାଏ ତାହେଲେ ପୂର୍ବ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ରାୟ ଦିଆଯାଇ ପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ