ଜାତି ଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଯାଦବ ମହାସଭାର ସ୍ମାରକପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଅଖିଳ ଭାରତବର୍ଷୀୟ ଯାଦବ ମହାସଭାର ନିଷ୍ପତ୍ତିକ୍ରମେ ୨୦୨୧ ସାଧାରଣ ଜନଗଣନା ସମୟରେ ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଜପତି ପ୍ରଶାସନକୁ ପ୍ରଦାନ କରାଯାଇଛି । ଗଜପତି ଜିଲ୍ଲା ଯାଦବ ମହାସଭାର ସଭାପତି ହୃଷୀକେଶ ଗୌଡଙ୍କ ନେତୃତ୍ୱରେ ଏକ ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, ସମ୍ବିଧାନର ଧାରା ୧୫(୪) ଓ ୧୬(୪)ରେ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ଉନ୍ନତି ବିଧାନ ନିମନ୍ତେ ସରକାର ଆବଶ୍ୟକ ପଦକ୍ଷେପ ନେବା ସହ ଉକ୍ତ ବର୍ଗର ସଠିକ ଜନସଂଖ୍ୟା ନିରୂପଣ ପୂର୍ବକ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସେମାନଙ୍କ ପ୍ରତିନଧିତ୍ୱ ଆକଳନ ହେବା ନିତ୍ୟାନ୍ତ ଆବଶ୍ୟକ । ମଣ୍ଡଳ ଆୟୋଗକଙ୍କର ଐତିହାସିକ ସୁପାରିସ ଫଳରେ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ରହିଆସିଥିବା ସମୁଦାୟ ଜନସଂଖ୍ୟାର ୫୨ ଭାଗ ଲୋକଙ୍କ ପାଇଁ ୨୭ଭାଗ ସ୍ଥାନ ସଂରକ୍ଷଣ କରାଯାଇଛି । ମଣ୍ଡଳ ଆୟୋଗ ୧୯୩୧ ମସିହାର ଜାତିଭିତ୍ତିକ ଜନଗଣନାର ତଥ୍ୟକୁ ଆଧାର କରି ଉପରୋକ୍ତ ସୁପାରିଶ ପ୍ରଦାନ କରିଥିଲେ । ଦୀର୍ଘ ବର୍ଷଧରି ଆଉ ଜାତିଭିତ୍ତିକ ଜନଗଣନା କରାଯାଇ ନଥିବାରୁ ସେହି ସୁପାରିସ ଗୁଡିକ କାର୍ଯ୍ୟକାରୀ ସରିବା ସମୟରେ ଉଲ୍ଲିଖିତ ବର୍ଗର ସଠିକ ଜନସଂଖ୍ୟାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟିହେଉଛି । ପଛୁଆ ବର୍ଗର ଲଗାତାର ଦାବି ଫଳରେ ପୂର୍ବବର୍ତ୍ତୀ ସରକାର ୨୦୧୧ ମସିହାରେ ଜାତିଭିତ୍ତିକ ଜନଗଣନା କରିବାପାଇଁ ଗଣତନ୍ତ୍ରର ପବିତ୍ର ମନ୍ଦିରରୂପେ ବିବେଚିତ ସଂସଦରେ ଅନେକ ଥର ନିଷ୍ପତି ଘୋଷଣା କରିଥିଲେ । କିନ୍ତୁ ଜନଗଣନା ସମୟରେ ନିଜର ନିଷ୍ପତିରୁ ସରକାର ଓହରି ଗଲେ । ସେହିପରି ବର୍ତ୍ତମାନର ସରକାର ୨୦୨୧ ମସିହାରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ୨୦୧୮ ମସିହାରେ ତତ୍‌କାଳୀନ ଗୃହମନ୍ତ୍ରୀ ସଂସଦରେ ଘୋଷଣା କରିଥିଲେ । ସମ୍ପ୍ରତି ସରକାରଙ୍କ ନିଜସ୍ୱ ନିଷ୍ପତ୍ତି ପରିବର୍ତ୍ତନ କରିଥିବାରୁ ସମଗ୍ର ଜନସଂଖ୍ୟାର ବିରାଟ ଅଂଶ ପ୍ରତିନିଧିତ୍ୱ କରିଥିବା ପଛୁଆ ବର୍ଗର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ତେଣୁ ଯାଦବ ମହାସଭା ୨୦୨୧ ମସିହାରେ ଜାତିଭିତ୍ତିକ ଜନଗଣନା ପାଇଁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଯାଦବ ମହାସଭାର ବୁଡୁ ଗୌଡ, କୃଷ୍ଣ ଗୌଡ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ