ଜିଲ୍ଲାସ୍ତରୀୟ ବିଶ୍ୱ ଏଡସ୍ ଦିବସ ପାଳିତ

ବାଲେଶ୍ୱର,(ୱାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲା ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ କକ୍ଷ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ବିଶ୍ୱ ଏଡସ୍ ଦିବସ-୨୦୨୦ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଦୁଲାଳ ସେନ ଜଗଦ୍ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଡସ ରୋଗର ଭୟାବହତା ଓ ଚଳିତ ବର୍ଷର ବିଷୟ “ ବିଶ୍ୱ ଏକତା, ଦାୟିତ୍ୱର ସମଭାଗିତା” ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏଡସ୍ ରୋଗ ଏବଂ ଏଚଆଇଭି ସଂକ୍ରମଣ ଉପରେ ଆଲୋକପାତ କରିଥିଲେ । ଏଡସ୍ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ହ୍ରାସ ପାଉଥିବାରୁ ରୋଗୀ ବିପଦର ସମ୍ମୁଖୀନ ହେବା ସହ ମୃତ୍ୟୁମୁଖରେ ପଡିଥାଏ । ତେଣୁ ଏଥି ନିମନ୍ତେ ଜନ ସଚେତନତା ସୃଷ୍ଟି ସହ ଏବଂ ଆତ୍ମ ସଂଯମତା ରକ୍ଷା ଉପରେ ଶ୍ରୀମତୀ ମହାନ୍ତି ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଚଳିତ ବର୍ଷର ବିଶ୍ୱ ଏଡସ ଦିବସର ବିଷୟ ଉପରେ ଆଲୋକପାତ କରି ଏଡସ ରୋଗର ନିରାକରଣ ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ବିଶେଷ କରି ଯୁବପିଢୀଙ୍କୁ ଏ ଦିଗରେ ଯଥେଷ୍ଟ ସଚେତନ କରାଯାଇପାରିଲେ ଏହି ରୋଗର ପ୍ରାଦୁର୍ଭାବକୁ ଆମେ କମାଇବାକୁ ସକ୍ଷମ ହୋଇପାରିବା ବୋଲି ସେ କହିଥିଲେ । ଏଡିଏମଓ (ମେଡିକାଲ) ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଏଡିଏମଓ(ଜନସ୍ୱାସ୍ଥ୍ୟ) ଡା ଅନ୍ତର୍ଯ୍ୟାମୀ ମିଶ୍ର ଏଚଆଇଭି ସଂକ୍ରମିତ ଏବଂ ଏଡସ ରୋଗୀମାନେ କିଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ । ୨୦୦୩ ମସିହାରୁ ୨୦୨୦ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ମୋଟ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ୧୬୮୯ ରେ ପହଂଚିଛି । ଇତିମଧ୍ୟରେ ୩୯୧ଜଣ ଏଡସ୍ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ୧୧୮ ଜଣ ଗର୍ଭବତୀ ମହିଳା ଆକ୍ରାନ୍ତ ଅଛନ୍ତି । ତେବେ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ତୁଳନାରେ ଖଇରା, ସୋରୋ ଓ ସଦର ବ୍ଲକରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ବୋଲି ଜଣାପଡିଛି । ଜିଲ୍ଲାରେ ଏବେ ଏଚଆଇଭି ପରୀକ୍ଷା ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଡିପିଏମ ଶ୍ରୀମତୀ ରଶ୍ମିତା ମହାନ୍ତି ସୂଚନା ଦେଇଥିଲେ । ଜିଲ୍ଲାସ୍ତରୀୟ ବିଶ୍ୱ ଏଡସ୍ ଦିବସ ପାଳନ ଅବସରରେ ଆଜି ଏଡସ ସଚେତନତା ବାର୍ତା ସମ୍ପର୍କିତ ଏକ ରଙ୍ଗୋଲୀ ପ୍ରତିଯୋଗିତା ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବିଜୟୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଜିଲ୍ଲା ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ କକ୍ଷ ଡିପିଏମ ଶ୍ରୀମତୀ ରଶ୍ମିତା ମହାନ୍ତି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବରିଷ୍ଠ ମେଡିକାଲ ଅଫିସର ଶ୍ରୀ ଅନୁପ କୁମାର ଘୋଷ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସଚେତନତା ସଭା ପରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି ଏବଂ ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ପତାକା ଦେଖାଇ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ୫ଦିନ ଧରି ଜିଲ୍ଲାର ବିଭିନ୍ ଅଂଚଳ ଗସ୍ତ କରିବା ସହ ଏଡସ ସମ୍ପର୍କରେ ସଚେତନତା ସୃଷ୍ଟି କରିବ । ସେହିପରି ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଣିକି ପ୍ରତି ମମତା ଦିବସରେ ଗର୍ଭବତୀ ମହିଳାମାନଙ୍କର ଏଚଆଇଭି ଓ ସିଫିଲସ୍ ପରୀକ୍ଷା ଲାଗି ବ୍ୟବହାର କରାଯିବାକୁ ଥିବା ଏକ କମ୍ବୋ କିଟ୍‌ର ଉଦଘାଟନ ସ୍ଥାନୀୟ ସହଦେବ ଖୁଂଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଡିପିଏମ ଶ୍ରୀମତୀ ମହାନ୍ତିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଓ କର୍ମକର୍ତାମାନଙ୍କ ସମେତ ଏଏନଏମ ଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ