ଜୀବନ ଦୋଛକି ରେ ବାଉଁଶ କାରିଗର : କୌଳିକ ବୃତ୍ତି ରୁ ମୁହଁ ଫେରାଉଛନ୍ତି ଯୁବପିଢୀ
ନିମାପଡା, (ସନ୍ତୋଷ ଦାସ):ସଙ୍କଟ ରେ ବାଉଁଶ କାରିଗର । ଜୀବନ ସହ ସଂଗ୍ରାମ କରି ଜିଉଁଛନ୍ତି ବାଉଁଶ ଶିଳ୍ପୀ ପରିବାର l ବାପ ଅଜା ଅମଳରୁ ପାରିବାରିକ ଭାବେ କରିଆସୁଥିବା କୌଳିକବୃତ୍ତି ପ୍ରତି ମୁହଁ ଫେରାଉଛନ୍ତି ଏବ ର ଯୁବପିଢୀ l ତାର କାରଣ ଏହି ବୃତ୍ତି କୁ ନାଁ ମିଳୁଛି ପ୍ରୋତ୍ସାହନ ନା ମିଳୁଛି ଅନୁଦାନ। ସବୁ ଆଡ଼େ ଏବେ ପ୍ଲାଷ୍ଟିକ ସାମଗ୍ରୀ। ଏହା ବାଉଁଶ ସାମଗ୍ରୀ ଠାରୁ ଶସ୍ତା ଆଉ ସୁନ୍ଦର। ଏଣୁ ଲୋକମାନେ ବାଉଁଶ ସାମଗ୍ରୀ ବଦଳରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଅଧିକ ମାତ୍ରା ରେ କରୁଛନ୍ତି। ଏଣୁ ବାଉଁଶ ସାମଗ୍ରୀ ବିକ୍ରୀ କମିବାରେ ଲାଗିଛି। ଏଣୁ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ବାଉଁଶ କାରିଗର।ପୁରୀ ଜିଲ୍ଲା ର ଅସ୍ତରଙ୍ଗ,କାକଟପୁର, ନିମାପଡା, ଗୋପ ପ୍ରଭୁତି ଅଞ୍ଚଳ ରେ ଶହ ଶହ ପରିବାର ଯେଉଁମାନେ ବାଉଁଶ କାରିଗର ପରିବାର ରହିଛନ୍ତି ସେମାନେ ଏବେ ଏହି କାରିଗରୀ ଛାଡ଼ିବାକୁ ଉଚିତ ମନେ କରୁଛନ୍ତି। ବାଉଁଶର ଅଭାବ ସହ ପ୍ଲାଷ୍ଟିକ ତିଆରି ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ ବାଉଁଶରେ ପ୍ରସ୍ତୁତ ସାମଗ୍ରୀର ଚାହିଦା କମୁଥିବାରୁ ଏଥିରୁ ମୁହଁ ଫେରାଉଛନ୍ତି ସମସ୍ତେ l ପୂର୍ବପୁରୁଷ ଙ୍କ ଜୀବିକାକୁ ଧରି ଚଳି ଆସୁଥିବା ପରିବାର ଆଧୁନିକ ଛାପରେ ଜୀବିକା ହରାଉଛନ୍ତି l ମାତ୍ର ଦିନ ଥିଲା ବାଉଁଶ ରୁ ତିଆରି ଜିନିଷର ବେଶ ଚାହିଦା ଥିଲା l କିନ୍ତୁ ବର୍ତ୍ତମାନ ଆଧୁନିକ ଛାପରେ ବାଉଁଶ ତିଆରି ସାମଗ୍ରୀର ବ୍ୟବହାର କମିଯାଇଛି। କେବଳ ହିନ୍ଦୁ ପରିବାର ର ବିଭିନ୍ନ ଉତ୍ସବ, ପାରିବାରିକ କର୍ମ ରେ ବାଉଁଶ ସାମଗ୍ରୀ ର ବ୍ୟବହାର କରାଯାଉଛି।ଫଳରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବାଉଁଶ କାରିଗର ପରିବାର l ଆଧୁନିକତାର ଛାପରେ ଲୋପ ପାଇଯିବାକୁ ବସିଛି ଏହି କୁଟୀର ଶିଳ୍ପ l କେବଳ ସେତିକି ନୁହେଁ କରୋନା ବାଉଁଶ କାରିଗରଙ୍କ ସମସ୍ୟା ଦୁଇଗୁଣା କରିଥିଲା l ଗୋଟେ ପଟେ କରୋନା ଅନ୍ୟ ପଟେ ବାଉଁଶ ର ଅଭାବ ବୋଝ ଉପରେ ନଳିତା ବିଡା,ହେଲେ ପ୍ରଶାସନ ଆଖି ବୁଝି ଦେଇଛି ଏମାନଙ୍କ ସମସ୍ୟା ପ୍ରତି l ତେବେ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପ୍ରୋତ୍ସାହନ ଦେବାକୁ ଦାବୀ କରିଛନ୍ତି ବାଉଁଶ କାରିଗର l ବାଉଁଶ ତିଆରି ଜିନିଷ ଆଜି ବଜାର ରେ ଅଲୋଡା। ଆଧୁନିକତାର ଚାପ ରେ ଚେପା ହୋଇଯିବା ଅବସ୍ଥାରେ ବାଉଁଶ ଶିଳ୍ପ l ସରକାର ଯଦି ଏଥି ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ବାଉଁଶ କାରିଗରୀ ବିଲୁପ୍ତ ହୋଇଯିବାର ଆଶଂକା ସୃଷ୍ଟି ହୋଇଛି। ବାଉଁଶ କାରିଗର ପରିବାର କୁ ଚିହ୍ନଟ କରି ସେମାନଙ୍କୁ ସୁବିଧା ରେ ବ୍ୟାଙ୍କ ରୁ ଋଣ ଯୋଗାଇଦେବା, ସେମାନଙ୍କୁ କଳାକାର ଭତ୍ତା ଯୋଗାଇଦେବା, ପ୍ରତି ଗ୍ରାମ ପଞ୍ଚାୟତ ରେ ବାଉଁଶ ସାମଗ୍ରୀ ବିକ୍ରୀ କରିବାର ସୁବିଧା କରାଯାଇପାରିଲେ ଏହି କୁଟୀର ଶିଳ୍ପ ବଞ୍ଚି ଯାଇପାରନ୍ତା ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


