ଜୈବ କୃଷିର କମାଲ
ପୁଣେ: ଟଙ୍କା ରୋଜଗାର କରିବା ପାଇଁ କୌଣସି ବଡ଼ ଚାକିରି କରିବାର କ’ଣ ଆବଶ୍ୟକତା ଅଛି, ଯଦି ନିଜ ସାମର୍ଥ୍ୟ ବଳରେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ହେଉଛି ତ! ଜୈବିକ କୃଷି କରି ମାସକୁ ୩୦ ଲକ୍ଷ ଟଙ୍କା ରୋଜଗାର କରି ଉଦାହରଣ ପାଲଟିଛନ୍ତି ଦୁଇ ଭାଇ ସତ୍ୟଜିତ୍ ଓ ଆଜିଙ୍କ ।
ପୁଣେର ଏହି ଦୁଇ ଭାଇ ଏମ୍ବିଏ ସାରିବା ପରେ ମଲ୍ଟି ନ୍ୟାସନାଲ୍ କମ୍ପାନୀରେ ମୋଟା ଦରମାରେ ଚାକିରି କରିବାର ନିଶା ତାଙ୍କୁ ବାନ୍ଧି ରଖି ପାରିନଥିଲା । ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ଲକ୍ଷ୍ୟରେ ଏକ ଛୋଟିଏ ଜମିରୁ ଆରମ୍ଭ କରିଥିଲେ ତାଙ୍କ ଜୈବିକ ଚାଷ । ଏହି କୃଷି ଧୀରେ ଧୀରେ ବଢ଼ିବାରେ ଲାଗିଲା । ନିଜ କୃଷିରୁ ବର୍ଷରୁ ୨ ଲକ୍ଷ ରୋଜଗାର କରୁଥିବା ଏହି ଦୁଇ ଭାଇ ଏବେ ୩ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇପାରିଛନ୍ତି । ସେମାନେ ପାଠପଢ଼ା ସରିବା ପରେ ଗାଁର ବୟୋଜ୍ୟେଷ୍ଠ ଲୋକଙ୍କଠାରୁ ପରାମର୍ଶ ନେବା ସହ ଇଣ୍ଟନେଟ୍ର ସହାୟତା ନେଇ ବିନା ସାରରେ କିପରି ଜମିକୁ ଉର୍ବର କରାଯାଇପାରିବ ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲେ । ଗୋମୂତ୍ର ଏବଂ ଗୋବରକୁ କୃଷି ଜମିରେ ବ୍ୟବହାର କରି ଜମିର ଉର୍ବରତା ବଢ଼ାଇ ସେଥିରୁ ଅନେକ ଫସଲ ଫଳାଉଛନ୍ତି ଏହି ଦୁଇ ଭାଇ । ପ୍ରଥମରୁ ଯେତେବେଳେ ସେମାନେ ଚାକିରି ଛାଡ଼ି ଚାଷ କରିଥିଲେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେମାନେ କରୁଥିବା ଆଖୁ ଓ ଅମୃତଭଣ୍ଡା ଖୁବ୍ କମ୍ ଦରରେ ବିକ୍ରି ହେଉଥିଲା । ଅମୃତଭଣ୍ଡା କିଲୋ ୪ ଟଙ୍କା ହିସାବରେ ନେଉଥିଲେ ବେପାରୀ । ଧୀରେ ଧୀରେ ସେମାନେ ଚାଷ ବଢ଼ାଇଲେ ଓ ଗୋଟାଏ ସମୟରେ ବର୍ଷକୁ ୨ ଲକ୍ଷ ରୋଜଗାର କରୁଥିବା ବେଳେ ଆଜିର ଦିନରେ ସେ ମାସକୁ ୩୦ ଲକ୍ଷ ଟଙ୍କା ରୋଜଗାର କରିବାରେ ସମର୍ଥ ହେଉଛନ୍ତି ।


