ଠିକା ସଂସ୍ଥା ଦାୟିତ୍ୱ ହୀନତା ଯୋଗୁ ଜାତୀୟ ରାଜପଥରେ ଘଣ୍ଟାହଣ୍ଟା ଧରି ଅଟକି ରହୁଛି ଗାଡି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି । ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ପକ୍ଷରୁ ମହାରାଷ୍ଟ୍ରର ଜନୈକ ଅଣଓଡିଆ ଘରୋଇ ସଂସ୍ଥାକୁ ପ୍ରଶସ୍ତିକରଣ କାର୍ଯ୍ୟ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ୪ଲାଇନ ବିଶିଷ୍ଟ ରାସ୍ତା ଥିବାବେଳେ ଏବେ ଏହାକୁ ପ୍ରଶସ୍ତିକରଣ କରାଯାଇ ୬ଲାଇନ ବିଶିଷ୍ଟ ହେଉଛି । ପରିତାପର ବିଷୟ ଠିକା ସଂସ୍ଥାର ଦାୟିତ୍ୱ ହୀନତା ଯୋଗୁ ନିର୍ମାଣ କାର୍ଯ୍ୟବେଳେ ରାସ୍ତାରେ ଘଣ୍ଟାଘଣ୍ଟା ଧରି ବିଭିନ୍ନ ଯାନବାହାନ ଛିଡା ହେଉଛି । ଫଳରେ ଗୁରୁତ୍ୱପୂର୍ଣ୍ଣ ଗାଡି ସହିତ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଗୁଡିକ ଘୋର ଅସୁବିଧାର ସମ୍ମୁଖୀୀନ ହେଉଛନ୍ତି । ସଂପ୍ରତି ଭଣ୍ଡାରିପୋଖରୀ ବଜାର ଓ ପାଳଦାବାଙ୍କ ଠାରେ ଦୁଇଗୋଟି ଉଚ୍ଚ କ୍ଷମତା ସମ୍ପନ୍ନ ପୋଲ ନିର୍ମାଣ ହେଉଥିବାବେଳେ ଏଥିପାଇଁ ସଂଙ୍କୁଚିତ ଭାବେ ରାସ୍ତା ତିଆରି ହୋଇଛି । ବିଶେଷକରି ବଜାର ନିକଟ ତୋରତ ପୋଲ ଠାରୁ ପାଳଦାବାଙ୍କ ଚକବନ୍ଦୀ ଅଫିସ ଯାଏଁ ପ୍ରାୟ ୫୦୦ମିଟର ସଂଯୋଗୀ ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଅଧିକାଂଶ ଜାଗାରେ ଅବଶ୍ୟକୀୟ ପରିମାଣରେ ଭିତ୍ତିଭୂମି ଥିଲେ ସୁଦ୍ଧା ଠିକାସଂସ୍ଥାର ଲାଭଖୋର ମନବୃତ୍ତି ଯୋଗୁ ଅଣଓସାରିଆ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ଫଳରେ ଯାନବାହନ ଚଳାଚଳ ବେଳେ କୌଣସି ଗାଡିର ଯଦି ଯାନ୍ତ୍ରୀକ ତୃଟି ଦେଖାଯାଏ ତାହେଲେ କଥା ସରିଲା । ଗୋଟିଏ ଗାଡି ରାସ୍ତା ଉପରେ ଛିଡା ହୋଇରହିଲେ ଯାତାୟତ ପ୍ରାୟ ୬୦ଭାଗରୁ ଅଧିକ ପ୍ରଭାବିତ ହେଉଛି । ଯେଉଁ କାରଣ ପାଇଁ ତହସିଲ ଛକ ଠାରୁ କହରାପୋଖରୀ ଯାଏଁ ଗାଡି ଲାଇନ ହୋଇ ଛିଡା ହେଉଛି । ଫଳରେ ପଶ୍ଚିମବଙ୍ଗ, ବାଲେଶ୍ୱର ଓ ଭଦ୍ରକରୁ ସଂଙ୍କାଟାପର୍ଣ୍ଣ ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଅନ୍ୟାନ୍ୟ ଗାଡି ଭଳି ଘଣ୍ଟାଘଣ୍ଟା ଧରି ରାସ୍ତା ଉପରେ ଛିଡାହୋଇ ରହୁଥିବା ଦେଖାଯାଉଛି । ପ୍ରତ୍ୟେକ ଦିନ ଯାନବାହନ ଚଳାଚଳରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲେ ସୁଦ୍ଧା ଏହା ଉପରେ କତ୍ତୃପକ୍ଷ ଦୃଷ୍ଟିନଦେବା ପରିତାପର ବିଷୟ ପାଲଟିଛି ।


