ଡ୍ରାଇଭିଂ ଲାଇସେନ୍ସ ବିଭିନ୍ନ ସ୍ଥାନରେ କ୍ୟାମ୍ପ୍ କରି ଲାଇସେନ୍ସ ଦିଆଯିବ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ଯାନବାହନର କାଗଜ ପତ୍ର ସଠିକ୍ କରିବା ପାଇଁ ଗଞ୍ଜାମ ପରିବହନ କାର୍ଯ୍ୟାଳୟରେ ଅସମ୍ଭବ ଭିଡ ହେଉଛି । ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକାଂଶ ବ୍ୟକ୍ତି ଦୂରଦୂରାନ୍ତରରୁ କାର୍ଯ୍ୟାଳୟକୁ ଆସି ଭିଡକୁ ଦେଖି ନିରାଶ ହେଉଛନ୍ତି । ସମସ୍ୟାର ଉପଯୁକ୍ତ ସମାଧାନ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ କରିବେ । ଆସନ୍ତା ୨୩ ତାରିଖ ସୋମବାର ଦିନ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ପରିସରରେ ଏହା ପରୀକ୍ଷା ମୂଳକ ଭାବରେ ଆରମ୍ଭ କରାଯିବ । ତିନିଦିନ ଧରି ହେଉଥିବା ଏହି କ୍ୟାମ୍ପ ପ୍ରତ୍ୟେହ ପୂର୍ବାହ୍ନ ୧୦ ଘଣ୍ଟା ଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀଙ୍କ ପ୍ରଣିତ ୫-ଟି ସୂଚୀ ଆଧାରରରେ ତ୍ୱରିତ ଢଙ୍ଗରେ ଏହା କାର୍ଯ୍ୟ ସଂପାଦନ କରିବ । କେବଳ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କାର୍ଯ୍ୟକ୍ରମରେଅନ୍ତର୍ଭୁକ୍ତ କରାଯିବ । ଯେଉଁମାନଙ୍କ ବୟସ ୧୮ ବର୍ଷରୁ ଉଦ୍ଧ୍ୱର୍ ସେମାନେ ଏହି ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଉପଯୁକ୍ତ ବିବେଚିତ ହେବେ । ପ୍ରାର୍ଥୀ ସାଙ୍ଗରେ ଜନ୍ମ ତାରିଖ ପ୍ରମାଣପତ୍ର, ଆଧାର କାର୍ଡ ଏବଂ ବ୍ଲଡ୍ଗ୍ରୁପ୍ର ପ୍ରମାଣ ପତ୍ର ଆଣିବେ । ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଦରଖାସ୍ତ କରିବେ । ଏଥିସହିତ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବଶ୍ୟକୀୟ ଦେୟ ଅନ୍ଲାଇନ୍ରେ ଜମା କରିବେ । ପ୍ରାର୍ଥୀଙ୍କୁ ଅନ୍ଲାଇନ୍ରେ କିଛି ସାଙ୍କେତିକ ପରୀକ୍ଷା କରାଯିବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେହି ସ୍ଥାନରେ ମୋଟର ଯାନ ଗୁଡିକର ପ୍ରଦୂଷଣ ପରୀକ୍ଷା କରାଯିବା ସହିତ ଇନ୍ସୁରାନ୍ସ କରାଇବାର ବ୍ୟବସ୍ଥା ଉପଲବ୍ଧ ହେବ । କ୍ୟାମ୍ପକୁ ପରିଚାଳନା କରିବା ପାଇଁ କନିଷ୍ଠ ଏମ୍ଭିଆଇ ପ୍ରତାପ କୁମାର ବେହେରାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହାର ସଫଳତାକୁ ଅନୁଧ୍ୟାନ କରିବାପରେ ଜିଲ୍ଲାର ପ୍ରତିବ୍ଲକ ଏବଂ ପୌରସଂସ୍ଥା ଗୁଡିକରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ ଆୟୋଜନ କରାଯିବ ବୋଲି ପରିବହନ ଅଧିକାରୀ ପ୍ରକାଶ କରିଛନ୍ତି ।


