ଡ୍ରେନେଜ୍ ବିଭାଗରେ କେଳେଙ୍କାରୀ ଅଭିଯୋଗ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ରେ ଜଳସେଚିତ ବ୍ୟବସ୍ଥା ଅତି ଦୁର୍ବଳ ରହିଛି । ପାଣି ଅଭାବରୁ ପ୍ରତିବର୍ଷ ଚାଷ କାର୍ଯ୍ୟ ପ୍ରଭାବିତ ହେଉଛି । ଉକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୦୨ ମସିହାରେ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ବାଂଶ ସ୍ଲୁଇସ୍ ଗେଟ୍ ନିର୍ମିତ କରାଯାଇଥିଲା । ପରବର୍ତୀ ସମୟରେ ଗୋବରୀ ବନ୍ଧ ନିର୍ମାଣ,ଜଳ ନିଷ୍କାସନ ଲାଗି କଲ୍ଭର୍ଟ ସ୍ଥାପନ ଭଳି ବିଭିନ୍ନ କାର୍ଯ୍ୟ ଲାଗି ଅଦ୍ୟାବଧି ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ଉକ୍ତ ବାଂଶ ସ୍ଲୁଇସ୍ ପ୍ରକଳ୍ପରେ ଖର୍ଚ୍ଚ ସରିଲାଣି । ଚାଷ ଜମିକୁ ଜଳ ଯୋଗାଣ ଏବଂ ବର୍ଷା ଦିନେ ଉଦ୍ବୃତ ଜଳ ନିଷ୍କାସନ ବାବଦରେ କୋଟି କୋଟି ଟଙ୍କା ରାଜକୋଷରୁ ବ୍ୟୟ ହୋଇଥିଲେ ମଧ୍ୟ ଚାଷ ଜମିକୁ ଅଦ୍ୟାବଧି ମୁନ୍ଦାଏ ପାଣି ଯାଇ ପାରୁନାହିଁ କି ବର୍ଷା ଦିନେ ବିଲରୁ ଉଦ୍ବୃତ ଜଳ ନିଷ୍କାସନ ମଧ୍ୟ ହୋଇପାରୁନାହିଁ । ଗତ ୧୦/୧୫ ବର୍ଷ ହେଲା ପ୍ରତିବର୍ଷ ଉକ୍ତ ସ୍ଲଇସ୍ ଗେଟ୍ ପ୍ରକଳ୍ପର ମରାମତି ଓ ନିର୍ମାଣ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ଏହି କାର୍ଯ୍ୟରୁ ଡ୍ରେନେଜ୍ ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଚଳୁ କରାଯାଉଥିବାର ଅଭିଯୋଗ ହେଉଛି । ମାତ୍ର ଯେଉଁ ଉଦ୍ଦେଶ୍ୟ ନେଇ ସରକାର ଉକ୍ତ ପ୍ରକଳ୍ପକୁ ନିର୍ମାଣ କରିଥିଲେ ତାହା କେବଳ ଠିକାଦାର ଓ ଯନ୍ତ୍ରୀମାନେ ଫାଇଦା ନେଉଥିବା ବେଳେ ଚାଷୀଙ୍କ କାର୍ଯ୍ୟରେ ଲାଗିପାରୁନାହିଁ । ସୂଚନାଯୋଗ୍ୟ, ନାଉଗାଁ ବ୍ଲକ୍ରେ ଜଳସେଚିତ ବ୍ୟବସ୍ଥା ଅତି ଦୁର୍ବଳ ଥିବାରୁ ପ୍ରତିବର୍ଷ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିଲା । ଉକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବାଂଶ ଗ୍ରାମର ଗୋବରୀ ନଦୀ ଉପରେ ଏକ ସ୍ଲୁଇସ୍ ଗେଟ୍ ନିର୍ମାଣ କରାଯାଇଥିଲା । ଡ୍ରେନେଜ୍ ବିଭାଗ ଅଧିନରେ ଥିବା ଉକ୍ତ ସ୍ଲୁଇସ୍ ଗେଟ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷ ଜମିକୁ ଜଳସେଚିତ କରିବା ଏବଂ ବର୍ଷା ଦିନେ ଜମିରେ ଜମି ରହୁଥିବା ବର୍ଷା ପାଣିକୁ ନିଷ୍କାସନ କରାଇବା । ମାତ୍ର ପ୍ରକଳ୍ପ ଆରମ୍ଭ ହେବା ଦିନ ଠାରୁ ଡ୍ରେନେଜ୍ ବିଭାଗ ପକ୍ଷରୁ ପ୍ରତିବର୍ଷ ମରାମତି ଓ ତାଳି ପକା କାର୍ଯ୍ୟ କରାଯାଉଛି । ଜୁନ୍ ମାସରେ ମାଟି କାମ ନିଷେଧାଦେଶ ରହିଥିବା ବେଳେ ବାଂଶ ସ୍ଲୁଇସ୍ ପ୍ରକଳ୍ପ ପାଇଁ ଏହି ସରକାରୀ ନିୟମ ପ୍ରଯୁଜ୍ୟ ଥିଲା ପରି ମନେ ହେଉନାହିଁ । କେତେବେଳେ ନେତାଙ୍କ ଚିଠା ତ ଆଉ କେତେବେଳେ ଯନ୍ତ୍ରୀଙ୍କ ସମ୍ପର୍କୀୟ ଏଠାରେ କାମ କରୁଛନ୍ତି । ଆଉ କେତେକ ସ୍ଥଳେ ଟେଣ୍ଡର ଆହ୍ୱାନ କରାଯାଇ ମରାମତି କାମ ଚାଲୁଥିଲେ ମଧ୍ୟ ତାହା କେବଳ ଲୋକ ଦେଖାଣିଆ ଭାବେ ଚାଲିଛି । ବନ୍ଧ ମରାମତି ଏବଂ ସ୍ଲୁଇସ୍ ଗେଟ୍ ମରାମତି ନାଁରେ ପ୍ରତିବର୍ଷ ଠିକା କାମ ଠିକ୍ ବର୍ଷା ଦିନେ ଆରମ୍ଭ କରାଯାଉଛି ବୋଲି ବାଂଶ ଗ୍ରାମର କୈଳାଶ ଚନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ, ହାଡ଼ିବନ୍ଧୁ ସେଠୀ, ସୁବାସ ଚନ୍ଦ୍ର ସ୍ୱାଇଁ, ସୁବଳ ଦାସ, ଉଲ୍ଲାସ ଚନ୍ଦ୍ର ବିଶ୍ୱାଳ, ଚାନ୍ଦପୁରା ଗ୍ରାମର ରବିନାରାୟଣ ପରିଡ଼ା, ନିରଞ୍ଜନ ବେହେରା, ସିତୁରା ଗ୍ରାମର ନାରାୟଣ ଦାସ, ପୂର୍ବତନ ସେନା ଅଧିକାରୀ କୈଳାଶ ଚନ୍ଦ୍ର ଲେଙ୍କା ପ୍ରମୁଖ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଉକ୍ତ ପ୍ରକଳ୍ପ ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ଡ୍ରେନେଜ୍ ବିଭାଗ ପକ୍ଷରୁ ପ୍ରାୟ ୧୭ ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ଟେଣ୍ଡର ଆହ୍ୱାନ କରାଯାଇଥିଲା । ଦୀର୍ଘ ଦିନ ହେଲା ଟେଣ୍ଡର ପାଇଥିବା ଠିକାଦାର କାମ ଆରମ୍ଭ ନକରି ବସି ରହିଥିଲା । କିନ୍ତୁ ବିଭାଗୀୟ ଯନ୍ତ୍ରୀଙ୍କ ଅନୁରୋଧ କ୍ରମେ ସଂପୃକ୍ତ ଠିକାଦାର ଖରାଦିନେ କାମ ନକରି ଠିକ୍ ବର୍ଷା ଦିନେ କାମ ଆରମ୍ଭ କରିଥିଲେ । ଏପରିକି ଉକ୍ତ କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯିବାର ନିୟମ ଥିଲେ ମଧ୍ୟ ଲଗାଯାଇନଥିବା ବେଳେ ଏଷ୍ଟିମେଟ୍ ଅନୁସାରେ ଠିକାଦାର କାମ ନକରି ପୂର୍ବରୁ ନଦୀ ବନ୍ଧରେ ରହିଥିବା ପଥରକୁ ଖସାଇ ସେହି ପୁରୁଣା ଜାଗାରେ ପଥର ଥୋଇ ‘ର’ ‘ଠ’ ଭାବେ କାମ କରି ଲକ୍ଷାଧିକ ଟଙ୍କା ହଡ଼ପ କରିବା ପାଇଁ ଯୋଜନା ଚଳାଇଥିବା ବାଂଶ ପଂଚାୟତବାସୀ ଅଭିଯୋଗ କରିଛନ୍ତି । ସଂପୃକ୍ତ ଠିକାଦାର କାମ ନକରି ଯନ୍ତ୍ରୀଙ୍କ ସହ ସାଲିସ୍ କରି ଉପର ଠାଉଣିଆ ଭାବେ ତଥା ମନଇଚ୍ଛା କାମ କରି ଏବେ ବିଲ୍ ହାତେଇବା ପାଇଁ କାରାସାଦି ଚଳାଇଥିବା ବାଂଶ ଗ୍ରାମର ମୁରବୀ ତଥା ଯୁବକମାନେ ଏହାର ଦୃଢ ପ୍ରତିବାଦ ଜଣାଇଛନ୍ତି । ଏହି କାମରେ ଘୋଟାଲା କରାଯାଉଥିବାର ପଂଚାୟତବାସୀ ଜାଣି ଜଗତସିଂହପୁର ଡ୍ରେନେଜ୍ ବିଭାଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ପ୍ରକଳ୍ପ କାର୍ଯ୍ୟକୁ ନେଇ ବ୍ଲକ୍ ଉପାଧ୍ୟକ୍ଷା ମାମିିନା ଦଳାଇ, ପଂଚାୟତ ସରପଂଚ ସନ୍ତୋଷ ଦାସ ଓ ପୂର୍ବତନ ସରପଂଚ ସଚ୍ଚିଦାନନନ୍ଦ ପରିଡ଼ା ପ୍ରମୁଖ ଅସନ୍ତୋଷ ପ୍ରକାଶ କରିବା ସହ ପୁରୁଣା ସ୍ଲୁଇସ୍ ଗେଟ୍କୁ ଭାଙ୍ଗି ଉକ୍ତ ସ୍ଥାନରେ ଆଉ ନୂତନ ସ୍ଲୁଇସ୍ ଗେଟ୍ ନିର୍ମାଣ କରିବା ପାଇଁ ଦାବି ଜଣାଇଛନ୍ତି । ଏ ସମ୍ପର୍କରେ ଜଗତସିଂହପୁର ଡ୍ରେନେଜ୍ ବିଭାଜନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ଆଶିଷ ମିଶ୍ରଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ପକ୍ଷରୁ ବାଂଶ ସ୍ଲୁଇସ୍ ମରାମତିରେ ଅନିୟମିତତା ହୋଇଥିବା ସମ୍ପର୍କରେ ଅଭିଯୋଗ ପାଇଛି,ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଞ୍ଚ


