ତେଜରାତି ଦୋକାନୀକୁ ବନ୍ଧୁକ ଦେଖାଇ ଲୁଟ
ଜଗତସିଂହପୁର, (ଅନସୂୟା ରାଉତ): ବାଲିକୁଦା ଥାନା ଅନ୍ତର୍ଗତ ଡେଙ୍ଗାପୋଲ ବଜାରରୁ ଗତକାଲି ରାତି ସାଢେ ଦଶଟାରେ ଜଣେ ତେଜରାତି ଦୋକାନୀଠାରୁ ଦୁର୍ବୁତ ମାନେ ବନ୍ଧୁକ ଦେଖାଇ ସତୁରି ହଜାର ଟଙ୍କା ଲୁଟି ନେଇଛନ୍ତି। ପ୍ରକାଶ ଥାଉକି ଡେଙ୍ଗାପୋଲ ବଜାରର ମନୋଜ ସାହୁ ନିଜର ତେଜରାତି ଦୋକାନ ବନ୍ଦ କରିବା ସମୟରେ ଚାରିଜଣ ମୁଖା ପିନ୍ଧା ଯୁବକ ହଠାତ୍ ଆସି ମନୋଜ ମୁଣ୍ଡରେ ବନ୍ଧୁକ ଲଗାଇ ଦେଲେ। ତାଙ୍କ ପାଖରେ ଥିବା ସତୁରି ହଜାର ଟଙ୍କା ସହିତ ଦୋକାନରେ ଥିବା ହର୍ଲିକ୍ସ, ଅମୁଲ୍, ତେଲ ପେଟି ଉଠାଇ ନେଇଥିଲେ। ଯାହାକି ପାଖା ପାଖି ଦଶ ହଜାର ଟଙ୍କା ହେବ। ତତ୍ ସେହି ଦୋକାନ ପାଖରେ ଥିବା ବିଚିତ୍ର ପ୍ରଧାନଙ୍କ ଗ୍ରୀଲ୍ ଦୋକାନରେ ଥିବା ଚାରି ପାଞ୍ଚଟି କଟର୍ ମେସିନ୍ ନେଇଗଲେ। ଉଭୟ ବାଲିକୁଦା ଥାନାରେ ଏତଲା ଦାଖଲ କରିଛନ୍ତି। କିଛିଦିନ ତଳେ ମାଛଗାଁ ରାସ୍ତାର ଡେଙ୍ଗା ପୋଲ ଓ ସଦେଇ ପୁର ରାସ୍ତାର ମଧ୍ଯ ଭାଗରେ ଜଣେ ବ୍ଯାଙ୍କ ସୁରକ୍ଷା କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ଲୁଟିଥିଲେ। ବାଲିକୁଦା ଥାନା ଅଧିକାରୀ ଶ୍ରୀଯୁକ୍ତ ସର୍ବେଶ୍ବର ବେହେରା ଏହି ଘଟଣାର ତଦନ୍ତ ଦାୟିତ୍ବ ନେଇ ଦୁର୍ବୁତ୍ତ ମାନଙ୍କୁ ଧରିବାକୁ ଜାଲ ବିଛେଇ ଥିବା ଜଣାପଡିଛି।


