ଦଶିପୁର ପଂଚାୟତରେ କିରୋସିନ ହଡପ ଅଭିଯୋଗ

କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଂଚାୟତର ଖାଉଟି ହିତାଧିକାରୀମାନେ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ପଂଚାୟତର ଖାଉଟି ଡିଲର ରବିନ୍ଦ୍ର ମଳିକଙ୍କ ନାମରେ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ନିଲମ୍ବିତ କରି ଗିରିବନ୍ଧର ଡିଲର ପିତାମ୍ବର ବେହେରାଙ୍କୁ ଦଶିପୁର ପଂଚାୟତର ରାସନ ସାମଗ୍ରୀ ବାଂଟିବାକୁ ନିର୍ଦେଶ ଦେଇଥିଲା । ନଦୀପାର ହୋଇ ଦଶିପୁର ଖାଉଟିମାନେ ଗିରିବନ୍ଧ ଯିବାକୁ ଅସୁବିଧା ହେବାରେ ଜିଲ୍ଲାପାଳ ଡିଲର ପିତାମ୍ବର ବେହେରାଙ୍କୁ ଦଶିପୁର ଠାରେ ଖାଉଟିମାନଙ୍କୁ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଡିଲର ଶ୍ରୀ ବେହେରା ଦଶିପୁରରେ ନିଜେ ରାସନ ସାମଗ୍ରୀ ନବାଂଟି ନିଲମ୍ବିତ ଡିଲର ରବିନ୍ଦ୍ର ମଳିକଙ୍କ ଦ୍ୱାରା ରାସନ ସାମଗ୍ରୀ ବଂଟନ କାର‌୍ୟ୍ୟ କରାଉଥିଲେ । ଫଳରେ ନିଲମ୍ବିତ ଡିଲର ଶ୍ରୀ ମଳିକ କିରୋସିନ ହଡପ କରିଥିବା ସହିତ ସରକାରଙ୍କ ପକ୍ଷରୁ ରାସନକାର୍ଡ ଧାରିଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଥିବା ବିଦ୍ୟୁତ ବଲବ ପାଇଁ ଖାଉଟିଙ୍କ ଠାରୁ ପ୍ରତ୍ୟେକ ଓ୧୦ଟଙ୍କା କରି ଆଦାୟ କରିଲେ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଡିଲର ଶ୍ରୀ ବେହେରା ଖାଉଟିମାନଙ୍କୁ ହଇରାଣ କରିବା ଉଦେଶ୍ୟରେ ଦଶିପୁର ପଂଚାୟତ ବଦଳରେ ଖଡିଅଂଟା ଗ୍ରାମରେ ରାସନ ସାମଗ୍ରୀ ରଖି ବାଂଟୁଥିବାର ଅଭିଯୋଗ ହୋଇଛି । ସେହି ସ୍ଥାନରୁ ସବୁ ଖାଉଟି ରାସନ ସାମଗ୍ରୀ ଆଣିବା ସମ୍ଭବ ପର ନୁହେଁ । ଏଣୁ ଦଶିପୁର ପଂଚାୟତର ଖାଉଟିମାନଙ୍କ ପକ୍ଷରୁ ବିବେକାନନ୍ଦ ଦାଶ ,ପ୍ରମୋଦ ପଣ୍ଡା,ଅକ୍ଷୟ ସାହୁ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟାଟିର ଆଶୁ ସମାଧାନ କରିବା ସହ ଦଶିପୁର ପଂଚାୟତର ଖାଉଟିମାନଙ୍କୁ ତିନିମାସର ରାସନ ସାମଗ୍ରୀ ଦଶିପୁର ପଂଚାୟତରେ ଦିଆଯିବାର ସୁବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ