ନିର୍ବାଚନୀ ପ୍ରଚାର ପାଇଁ ଷ୍ଟୁଡିଓରେ ଚାଲିଛି ଗୀତ ରେକର୍ଡ଼ିଂ
ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୨୫ ତାରିଖରେ ଚିହ୍ନ ସାଙ୍ଗକୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଧୀରେ ଧୀରେ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ପ୍ରାର୍ଥୀ ଓ ତାଙ୍କର ସମର୍ଥକମାନେ । ତେବେ କୋଭିଡ କଟକଣା ପାଇଁ ସାମୂହିକ ପ୍ରଚାର, ର୍ୟାଲି ଓ ସଭା ସମିତି କାର୍ଯ୍ୟକ୍ରମ ଉପରେ ନିର୍ବାଚନ ଆୟୁକ୍ତଙ୍କ ଅଙ୍କୁଶ ଯୋଗୁଁ ପ୍ରାର୍ଥୀମାନେ ଅତିବେଶୀରେ ୫ ଜଣ ସମର୍ଥକ ନେଇ କେବଳ ଘରକୁ ଘର ବୁଲି କ୍ୟାମ୍ପେନିଂ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ପୋଷ୍ଟର ବ୍ୟାନର ସାଙ୍ଗକୁ ନିଜ ସପକ୍ଷରେ ନିର୍ବାଚନୀ ଗୀତ ଉପରେ ସବୁ ପ୍ରାର୍ଥୀ ଗୁରୁତ୍ୱ ଦେଉଛନ୍ତି । ଏନେଇ ବାଲେଶ୍ୱର ଜିଲାରେ ବିଭିନ୍ନ ଷ୍ଟୁଡିଓରେ ଗୀତ ରେକର୍ଡ଼ିଂ ଚାଲିଥିବା ଲକ୍ଷ୍ୟ କରାଯାଇଛି । ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ଏମିତିକି ୱାର୍ଡ଼ ସଭ୍ୟପ୍ରାର୍ଥୀଙ୍କ ନାମ, ଗୁଣାବଳୀ ଓ ନିର୍ବାଚନୀ ଇସ୍ତାହାର ଆଧାରରେ ଗୀତ ରଚନା କରାଯାଉଛି । ଏହାକୁ ଲୋକପ୍ରିୟ ପୁରୁଣା ଓଡ଼ିଆ-ହନ୍ଦୀ ସିନେମା ତଥା ଆଲବମ ଗୀତ ସ୍ୱରରେ ରେକର୍ଡ଼ିଂ କରାଯାଉଛି । ଷ୍ଟେସନ ଛକର ସତ୍ୟମ ଷ୍ଟୁଡିଓ, ସୁନହଟର ଗଣପତି ଷ୍ଟୁଡିଓ, ରେମୁଣା ଗୋଲେଇର ଦୀପ ଷ୍ଟୁଡିଓ ସମେତ ବାଲେଶ୍ୱର ଜିଲାର୧୦ରୁ ଅଧିକ ଷ୍ଟୁଡିଓରେ ଏବେ ପଞ୍ଚାୟତ ନିର୍ବାଚନ ଗୀତ ରେକର୍ଡ଼ିଂ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସହରର ଷ୍ଟେସନଛକ ସ୍ଥିତ ସତ୍ୟମ ଷ୍ଟୁଡିଓରେ ଦିନ ତମାମ ଗୀତ ରେକର୍ଡ଼ିଂ ଚାଲିଥିବା ଲକ୍ଷ୍ୟ କରାଯାଇଛି । ଷ୍ଟୁଡିଓର ମୁଖ୍ୟ ତଥା ଭିଡିଓ ଓ ଭଏସ ଏଡିଟର ସତନୁ ଫୌଜଦାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବୁକିଛି ପରିଚାଳିତ ହେଉଛି । ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଗୀତ ରେକର୍ଡ଼ିଂ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଅଧିକରୁ ଅଧିକ ଅର୍ଡ଼ର ମିଳିପାରେ ବୋଲି ଶ୍ରୀ ଫୌଜଦାରୀ ଆଶା ପ୍ରକାଶ କରିଛନ୍ତି । ସମ୍ପ୍ରତି ପୁରୁଣା ଲୋକପ୍ରିୟ ଗୀତର ସ୍ୱରରେ ରେକର୍ଡ଼ିଂ ହେଉଛି । ବାଦ୍ୟଯନ୍ତ୍ର ପରିବର୍ତ୍ତେ ଟ୍ରାକ ମ୍ୟୁଜିକକୁ ଗୁରୁତ୍ୱ ଦିଆଯାଉଥିବା ସେ ସୂଚନା ଦେଇଛନ୍ତି । ଅନ୍ୟତମ ଶ୍ରେଷ୍ଠ ମ୍ୟୁଜିକ କି ବୋର୍ଡ଼ ଅପରେଟର ଜୟନ୍ତ ବେହେରା ପୁରୁଣା ସ୍ୱରରେ ଗୀତ ରଚନା କରୁଥିବା ବେଳେ କୌଶିକ ଶତପଥୀ, ଜୟପ୍ରଭା ପଣ୍ଡିତଙ୍କ ସମେତ ଅନ୍ୟାନ୍ୟ ବହୁ କଣ୍ଠଶିଳ୍ପୀ ଗୀତ ଗାଉଛନ୍ତି । ପ୍ରାର୍ଥୀଙ୍କ ଚିହ୍ନ, ଗୁଣାବଳୀ ଓ ନିର୍ବାଚନୀ ଇସ୍ତାହାରକୁ ଏହି ଗୀତରେ ପ୍ରତିଫଳିତ କରାଯାଉଛି । ବୟସ୍କ ପ୍ରାର୍ଥୀଙ୍କ ଗୀତରେ ପୁରୁଣା ଭଜନ ଓ ଭକ୍ତିଗୀତର ସ୍ୱର ଦିଆଯାଉଥିବା ବେଳେ ଯୁବପ୍ରାର୍ଥୀଙ୍କ କ୍ଷେତ୍ରରେ ଆଧୁନିକ ଦମଦାର ଗୀତର ସ୍ୱର ଦିଆଯାଉଥିବା କଣ୍ଠଶିଳ୍ପୀମାନେ କହିଛନ୍ତି । ପ୍ରାର୍ଥୀଙ୍କ ସହଯୋଗୀମାନେ ଷ୍ଟୁଡିଓରେ ଉପସ୍ଥିତ ରହି ଗୀତ ରଚନା ଓ ସ୍ୱରକୁ ଅନୁଧ୍ୟାନ କରୁଛନ୍ତି । ତେବେ ଚଳିତ ପଞ୍ଚାୟତ ନିର୍ବାଚନ ଗୀତ ରେକର୍ଡ଼ିଂ ଯୋଗୁଁ ବାଲେଶ୍ୱରର ପ୍ରାୟ ସମସ୍ତ ଷ୍ଟୁଡିଓଙ୍କ ସମେତ କଣ୍ଠଶିଳ୍ପୀଙ୍କ ନିମନ୍ତେ ଆୟର ସୁଯୋଗ ସୃଷ୍ଟି କରିଥିବା ଜଣାପଡ଼ିଛି ।


