ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପରେ ହାଇକୋର୍ଟ ଯିବେ ସ୍ଥାନୀୟ ବାସିନ୍ଦା

ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ପୌରନିର୍ବାଚନରେ ବାଲେଶ୍ୱର ପୌରପାଳିକାର ୬ ନଂ ୱାର୍ଡ଼ କାଉନସିଲର ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ ରହିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏହି ୱାର୍ଡ଼ରେ ଅନୁସୂଚିତ ଜନଜାତି ବର୍ଗର ଗୋଟିଏ ବି ପରିବାର ନଥିବା ବେଳେ ପୌରପାଳିକା ପକ୍ଷରୁ ଏହାକୁ କିପରି ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଗଲା ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି । ଏହି ୱାର୍ଡ଼ର ଭୋଟର ସଂଖ୍ୟା ସମ୍ପ୍ରତି ୪୨୨୭ ଛୁଇଁଥିବା ବେଳେ ୪ହଜାରରୁ ଅଧିକ ଭୋଟର ସାଧାରଣ ବର୍ଗ ଅଟନ୍ତି । ବିଶେଷ କରି ଅଧରୁ ଅଧିକ ଭୋଟର ସଂଖ୍ୟାଲଘୁ ସମ୍ପ୍ରଦାୟ ବର୍ଗର ବୋଲି ସେମାନେ ସୂଚନା ଦେଇଛନ୍ତି । ମାତ୍ର ଏହି ୱାର୍ଡ଼ରେ ୨୮୯ ଜଣ ଅନୁସୂଚିତ ଜନଜାତିର ଭୋଟର ଥିବା ଦର୍ଶାଇ ପୌରପାଳିକା ପକ୍ଷରୁ ଏହାର କାଉନସିଲର ପଦକୁ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଗ୍ରାମବାସୀମାନେ କହିଛନ୍ତି । ୨୦୧୩ ପୌର ନିର୍ବାଚନ ବେଳେ ଏହି ୱାର୍ଡ଼ କାଉନସିଲର ପଦ ସାଧାରଣ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ତୁରନ୍ତ ଏହାକୁ ଅଣସଂରକ୍ଷିତ ରଖିବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ପାଖରେ ଆପତ୍ତି ଜଣାଇଥିଲେ । ମାତ୍ର ଶୁଣାଣି ବେଳେ ଏହି ଆପତ୍ତିକୁ ଖାରଜ କରାଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଠାରେ ମଧ୍ୟ ଅପିଲ କରାଯାଇଛି । ଏହି ଆପତ୍ତିକୁ ବିଭାଗ ଗ୍ରହଣ କରିଥିବା ବେଳେ ଶୁଣାଣିକୁ ସମସ୍ତେ ଅପେକ୍ଷା କରିଥିବା ସେମାନେ କହିଛନ୍ତି । ଏଥିରେ ୱାର୍ଡ଼ବାସୀଙ୍କ ଦାବିକୁ ଉପେକ୍ଷା କରାଗଲେ ଶେଷରେ ଉଚ୍ଚ ନ୍ୟାୟାଳୟକୁ ଯିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଶେଖ ଇସଲାମ, ଶେଖ ନିଜାମୁଦ୍ଦିନ, ଶେଖ ଜମାଲ, ଶେଖ ଆଲମ, ଶେଖ ନୱାଜୁଦିନ ପ୍ରମଖୁ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ