ନୂତନ ଓପୋ କେ-୧୦ ମଡେଲ ମୋବାଇଲର ଅନଲାଇନ ବିକ୍ରିକୁ ବିରୋଧ
ବାଲେଶ୍ୱର, (ସରୋଜ ପଣ୍ଡା) :ଖୁଚୁରା ବ୍ୟବସାୟୀମାନଙ୍କ ପ୍ରତି ଚାଇନିଜ୍ ମୋବାଇଲ୍ ନିର୍ମାତା ଓପୋ କମ୍ପାନୀର ବିଶ୍ୱାସଘାତକ ନୀତି ବିରୋଧରେ ସମଗ୍ର ଦେଶ ମୋବାଇଲ ରିଟେଲରମାନେ ଦିନିକିଆ ଧାରଣା ପ୍ରଦର୍ଶନ କରିଥିବା ବେଳେ ବାଲେଶ୍ୱରର ମଧ୍ୟ ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳିଛି । ଅଲ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନର ଆହ୍ୱାନ କ୍ରମେ ବାଲେଶ୍ୱର ଶାଖାର କର୍ମକର୍ତ୍ତା ଓ ସଦସ୍ୟମାନେ ଆଇଟିଆଇ ଛକସ୍ଥିତ ଓପୋ କମ୍ପାନୀର କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୁରେଶ ଉପାଧ୍ୟାୟ, ରାଜେଶ କର୍ଣ୍ଣାନୀ, ପ୍ରିୟଙ୍କ କୋଟେଚା, ଯୋଗେଶ ପତି, ଅୟନ ସେନ, ଚନ୍ଦ୍ର ଶେଖର ଗିରି ପ୍ରମୁଖ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ ଚାଇନା ଓପୋ ବ୍ରାଣ୍ଡର ନୂତନ କେ-୧୦ ସିରିଜର ମୋବାଇଲ କେବଳ ବିଦେଶୀ ଇ-କମର୍ସ କମ୍ପାନୀଙ୍କ ମାଧ୍ୟମରେ ଅନଲାଇନ୍ରେ ବିକ୍ରୟ ପାଇଁ ଉପଲବ୍ଧ ଥିବା କହିଥିଲେ । ସାତ ବର୍ଷ ପୂର୍ବେ ଭାରତରେ ପ୍ରବେଶ କରିଥିବା ଚାଇନାର ଓପୋ ମୋବାଇଲ୍ କମ୍ପାନୀ ସାରା ଦେଶରେ ଖୁଚୁରା ବ୍ୟବସାୟୀମାନଙ୍କ ଦ୍ୱାରା ଏକ ନମ୍ବର ମୋବାଇଲ୍ ବ୍ରାଣ୍ଡରେ ପରିଣତ ହୋଇପାରିଛି । ପ୍ରତିବଦଳରେ ଓପୋ କମ୍ପାନୀ ନିଜର ନୂତନ କେ-୧୦ ସିରିଜ୍ ସ୍ମାର୍ଟଫୋନ୍କୁ ଅନଲାଇନ୍ ପ୍ଲାଟଫର୍ମରେ ସିଧାସଳଖ ରିହାତିରେ ଉପଲବ୍ଧ ସହ ଖୁଚୁରା ବ୍ୟବସାୟୀମାନଙ୍କୁ ଅଣଦେଖା କରିଚାଲିଛି ବୋଲି ଆସୋସିଏସନର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ।ଏଥିରେ ମୋବାଇଲ ରିଟେଲରଙ୍କ ବିଶ୍ୱାସ ପ୍ରତି ଆଘାତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ସମସ୍ତ ନିୟମକୁ ଅବମାନନା ସହ ଓପୋ କମ୍ପାନୀ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ । ତୁରନ୍ତ କମ୍ପାନୀର ସମସ୍ତ ମଡେଲର ମୋବାଇଲ ଫୋନ ଅଧିକ ସଂଖ୍ୟାରେ ଖୁଚୁରା ବ୍ୟବସାୟୀଙ୍କ କାଉଂଟର ଦ୍ୱାରା ବିକ୍ରୟ ପାଇଁ ବ୍ୟବସ୍ଥା ନ ହେଲେ ଆଗାମୀ ଦିିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ମୋବାଇଲ ରିଟେଲର୍ସ ଆସୋସିଏସନ ପକ୍ଷରୁ ଏକ ଦାବିପତ୍ର ଓପୋ କମ୍ପାନୀର ସ୍ଥାନୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।


