ନୂତନ ସି.ଆର୍.ପି ନିଯୁକ୍ତି ପ୍ରକ୍ରିୟା ବାତିଲ, ବକେୟା ଦରମା ପ୍ରଦାନ ଦାବୀରେ ବ୍ଲକ ସମ୍ମୁଖରେ ଧାରଣା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ଆଞ୍ଚଳିକ ମଞ୍ଚ-୨ରେ ନୂତନ ସି.ଆର୍.ପି ନିଯୁକ୍ତି ପ୍ରକ୍ରିୟା ବାତିଲ କରିବା ସହିତ ବକେୟା ଦରମା ପ୍ରଦାନ ଦାବୀରେ ଆଜି ସି.ଆର୍.ପି ମନୋରମା ଜେନା ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି । ତାଙ୍କୁ ସମର୍ଥନ ଜଣାଇ ସୁକାନ୍ତୀ ଜେନା, ଜାନକୀ ଜେନା, ଶାନ୍ତିଲତା ଜେନା, ମିନତୀ ଜେନା, କାଞ୍ଚନ ଜେନା, ଶଶୀକାନ୍ତ ଜେନା, କମଳାକାନ୍ତ ଜେନା, ତପନ ସେଠୀ, ଅନିରୁଦ୍ଧ ଜେନାଙ୍କ ସମେତ ଅନ୍ୟ ମାନେ ଧାରଣା ସ୍ଥଳରେ ଉପସ୍ଥିତ ଅଛନ୍ତି । ପ୍ରକାଶ ଯେ, ପଧାନପଡା ପଞ୍ଚାୟତ ସରସ୍ୱତୀ ମହିଳା ମହାସଂଘ ଅଧିନ ପଧାନପଡା ଆଞ୍ଚଳିକ ମଞ୍ଚ-୨ରେ ମନୋରମା ଜେନା ସି.ଆର୍.ପି ଭାବେ ଗତ ତା-୧-୬-୨୦୨୧ ମସିହା ଠାରୁ ନିଯୁକ୍ତି ପାଇ ସୂଚାରୁରୂପେ କାର୍ଯ୍ୟ କରିଆସୁଛନ୍ତି । ହେଲେ ତାଙ୍କୁ ଏପର୍ଯ୍ୟନ୍ତ ଦରମା ମିଳୁନାହିଁ । ଏପରିପେକ୍ଷୀରେ ଚଞ୍ଚକତା ମୂଳକ ଭାବେ ତାଙ୍କୁ ସି.ଆର୍.ପି ପଦବୀରୁ ବାହାର କରାଯାଇ ନୂତନ ନିଯୁକ୍ତି କରାଯିବା ନେଇ ଉଦ୍ୟମ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଏସଂପର୍କରେ ସେ ବହୁବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ଶେଷରେ ନ୍ୟାୟ ନମିଳିଲେ ସେ ବ୍ଲକ ସମ୍ମୁଖରେ ଧାରଣା ଦେବେ ବୋଲି ଗତ ମାର୍ଚ୍ଚ ୨୭ରେ ଜିଲାପାଳ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ବିଡିଓଙ୍କୁ ଲିଖିତ ଜଣାଇଥିଲେ । ଶେଷରେ ଆଜି ବ୍ଲକ ସମ୍ମୁଖରେ ଅହୋରାତ୍ର ଗଣଧାରଣାରେ ବସିଥିବା ଜଣାଯାଇଛି ।


