ପାଞ୍ଚ ଦିନିଆ ଶୀତ ମହୋତ୍ସବ ପାଇଁ ଦାରିଙ୍ଗବାଡି ଅଞ୍ଚଳ ଉତ୍ସବ ମୁଖର 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିଠାରେ ଶନିବାର ଠାରୁ ଆରମ୍ଭ ହୋଇଛି ୫ ଦିନିଆ ଶୀତ ମହୋତ୍ସବ। ଏଥିପାଇଁ ସମଗ୍ର ଦାରିଙ୍ଗବାଡ଼ି ଚଳଚଞ୍ଚଳ ହୋଇଉଠିଛି। ଏହି ମହୋତ୍ସବ ପାଇଁ ଜିଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ମହୋତ୍ସବକୁ ଧୁମଧାମରେ ପାଳନ କରାଯାଉଛି। ଏଥିପାଇଁ କମିଟିର ସଭାପତି ତଥା ବିଧାୟକ ସାଲୁଗା ପ୍ରଧାନ, ସମ୍ପାଦକ ତଥା ବିଡିଓ ଗଦାଧର ପାତ୍ର, କୋଷାଧ୍ୟକ୍ଷ ତଥା ସ୍ଥାନୀୟ ତହସିଲଦାର ଡ. ଅଶୋକ କୁମାର ଦାସ, ଆଇଆଇସି କୌଶିକ ମାଝୀ ପ୍ରମୁଖ ଏହାକୁ ଲୋକାଭିମୁଖୀ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି। ସେହିପରି କାର୍ଯ୍ୟକ୍ରମ କିଭଳି ସରସ ସୁନ୍ଦର ହୋଇପାରିବ ସେନେଇ ସ୍ଥାନୀୟ ଲୋକପ୍ରତିନିଧି, ହୋଟେଲ ସଂଘ, ବଣିକ ସଂଘ ସମେତ ଅଞ୍ଚଳରେ ରହିଥିବା ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର କର୍ମକର୍ତ୍ତା ମାନେ ମଧ୍ୟ ଉଦ୍ୟମ କରୁଛନ୍ତି। ତେବେ ଏହି ମହୋତ୍ସବ କୁ ଆସୁଥିବା ହଜାର ହଜାର ସଂଖ୍ୟାରେ ଦର୍ଶକ, ଅତିଥି, ପର୍ଯ୍ୟଟକଙ୍କୁ ଶ୍ରୀଶ୍ରୀ ଜଳେଶ୍ୱର ବୋଲବମ୍‌ ସଂଘ ପକ୍ଷରୁ ମାଗଣାରେ ଶୁଦ୍ଧ ଗରମ ପାଣି ସହ ହର୍ବାଲ ଚା ପିଇବାକୁ ଯୋଗାଇବେ। ଏଥିପାଇଁ ସେମାନେ ସ୍ଥାନୀୟ ତହସିଲଦାର ଡ. ଅଶୋକ କୁମାର ଦାସଙ୍କୁ ଲିଖିତ ଅନୁରୋଧ କରିଛନ୍ତି। ଏହାକୁ ତହସିଲଦାର ମହାନ୍‌ କାର୍ଯ୍ୟ କହି ସଙ୍ଘର ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଛନ୍ତି। ଏଥିପାଇଁ ସେମାନଙ୍କୁ ଏକ ଷ୍ଟଲ ମାଗଣା ରେ ପ୍ରଶାସନ ଯୋଗାଇ ଦେଇଥିବା ସେ କହିଛନ୍ତି। ସେହିପରି ଶୀତ ମହୋତ୍ସବ ସ୍ଥଳରେ କମିଟି ପକ୍ଷରୁ ମଧ୍ୟ ଲୋକଙ୍କୁ ଶୀତଦାଉରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ତହସିଲଦାର ଶ୍ରୀ ଦାସ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ