ପୂର୍ବତନ ବୈଜ୍ଞାନିକଙ୍କ ବିୟୋଗରେ ଶୋକସଭା
ବାଲେଶ୍ୱର, (ସରୋଜ ପଣ୍ଡା) :-ପ୍ରତିରକ୍ଷା ବିଭାଗର ପୂର୍ବତନ ବୈଜ୍ଞାନିକ ରଘୁନାଥ ମହଳିକଙ୍କ ବିୟୋଗରେ ଆମ୍ବେଦକର ବିକାଶ ପରିଷଦ ଗଭୀର ଶୋକ ପ୍ରକାଶ କରିଛି । ଏନେଇ ବିକାଶ ପରିଷଦ ପକ୍ଷରୁ ଏକ ଶୋକସଭା ସଂଗଠନର ସଭାପତି ବରିଷ୍ଠ ଆଇନଜୀବୀ ରଘୁନାଥ ମହାଳିକଙ୍କ ଚ୍ୟାମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ ମହାଳିକଙ୍କ ସମେତ ପ୍ରଫେସର ଶତ୍ରୁଘ୍ନ ମଲିକ, ଶ୍ରମିକ ନେତା ଶ୍ୟାମସୁନ୍ଦର ଜେନା, ଆଇନଜୀବୀ ଲକ୍ଷ୍ମଣ କୁମାର ବେହେରା, ଶଙ୍କର ମଲିକ, ଶିକ୍ଷାବିତ ମଧୁସୂଦନ ମାଝୀ, ଅନନ୍ତ କୁମାର ମାଝୀ, ରଶ୍ମିରେଖା ମହାଳିକ, ସ୍ନେହଲତା ପଥି, ବିଶ୍ୱକେଶନ ବେହରା, ମାନଗୋବିନ୍ଦ ସେଠୀ, ବିଶ୍ୱଜିତ ସିଂ, ରାମକୃଷ୍ଣ ପଟ୍ଟାୟତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାଳିକଙ୍କ ଜୀବନାଦର୍ଶ ଓ କାର୍ଯ୍ୟଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଆମ୍ବେଦକର ବିକାଶ ପରିଷଦର ପ୍ରତିଷ୍ଠାତା ସଦସ୍ୟ ଭାବେ ଦୀର୍ଘବର୍ଷ ଧରି ରହି ବିଭିନ୍ନ ସାମାଜିକ ସେବା ସହ ସେ ଜଡ଼ିତ ଥିଲେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଚାନ୍ଦିପୁର ପ୍ରତିରକ୍ଷା ବିଭାଗରୁ ଅବସର ନେବା ପରେ ସମାଜସେବା କ୍ଷେତ୍ରରେ ସେ ବେଶ ସକ୍ରିୟ ଥିଲେ । ତାଙ୍କର ଅବର୍ତ୍ତମାନ ସମାଜସେବା କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଏହି ଶୋକ ସଭାରେ ମତ ପ୍ରକାଶ ପାଇଥିଲା । ଏଭଳି ଦୁଃଖ ସମୟରେ ଭଗବାନ ତାଙ୍କର ପରିବାରକୁ ସହାୟ ହୁଅନ୍ତୁ ବୋଲି ସମସ୍ତେ କାମନା କରିଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ଉପସ୍ଥିତ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


