ପ୍ରତିବର୍ଷ ମହିଳାଙ୍କ ପାଇଁ ଆୟୋଜିତ ହୁଏ ହର୍ସ ରେସ୍
ବ୍ରିଟେନରେ ଏମିତି ଏକ ହର୍ସ ରେସ୍ ବା ଘୋଡ଼ା ଦୌଡ଼ ଆୟୋଜନ କରାଯାଇଥାଏ ଯେଉଁଥିରେ କେବଳ ମହିଳାମାନେ ହିଁ ଭାଗ ନେଇଥାଆନ୍ତି । ଏଥିରେ ଟେଲିଭିଜନ୍ ଆଙ୍କର, ଫ୍ୟାଶନ୍ ଏକ୍ସପର୍ଟ, ମଡେଲ, ଛାତ୍ରୀ ତଥା ଗୃହିଣୀ ସମସ୍ତେ ଭାଗ ନେବାର ସୁବିଧା ଥାଏ । ପ୍ରତିବର୍ଷ ଅଗଷ୍ଟ ୧ରେ ଏହା ଆୟୋଜିତ ହୋଇଥାଏ । ଏହା ‘ମଙ୍ଗୋଲିୟା କପ୍ ହର୍ସ ରେସ୍’ ଭାବେ ପରିଚିତ । ପ୍ରଥମେ ଏହା ୨୦୧୨ରେ ଆରମ୍ଭ କରାଯାଇଥିବାବେଳେ ଚଳିତ ବର୍ଷ ଏହାର ସପ୍ତମ ସଂସ୍କରଣର ଆୟୋଜନ କରାଯାଇଛି । ଏହି ଦିନକୁ ବ୍ରିଟେନର “ଲେଡ଼ିଜ୍ ଡେ’ ବୋଲି ମଧ୍ୟ କୁହାଯାଏ । ଏଥିରେ ୧୧ ଜଣ ମହିଳା ଭାଗ ନେଇଥାଆନ୍ତି । ଏହି କାର୍ଯ୍ୟକ୍ରମରୁ ଯାହା ଆୟ ହୁଏ ତାକୁ ବିଶ୍ୱର ମହିଳାମାନଙ୍କ ହିତରେ ଖର୍ଚ୍ଚ କରାଯାଇଥାଏ । ଚଳିତ ବର୍ଷ ଏଥିରୁ ୨୦ କୋଟି ଟଙ୍କା ଆୟ ହେବ ବୋଲି ଅନୁମାନ କରାଯାଇଛି । କାରଣ ଚଳିତ ବର୍ଷ ଏହାକୁ ଦେଖିବାକୁ ପ୍ରାୟ ୩୦ ହଜାର ଲୋକ ଆସିପାରନ୍ତି । ପ୍ରଥମେ ୨୦୧୨ରେ ଆରମ୍ଭ ହୋଇଥିବା ଏହି ରେସ୍ ଦେଖିବାକୁ ପ୍ରାୟ ୧୦ ହଜାର ଲୋକ ଆସିଥିବା କୁହାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଯେଉଁମାନେ ଭାଗନିଅନ୍ତି ସେମାନେ କେହି ପେସାରେ ଘୋଡ଼ା ଚଢାଳି ନୁହେଁ । ତେଣୁ ରେସ୍ ଆୟୋଜନର ୨ ମାସ ପୂର୍ବରୁ ସେମାନଙ୍କୁ ଘୋଡ଼ାଚଢ଼ା ତାଲିମ ଦିଆଯାଇଥାଏ । ଏଥିରେ ବ୍ରିଟେନର ପ୍ରତିଷ୍ଠିତ ଭିକ୍ଟୋରିଆ ରେସିଂ କ୍ଲବର ସଦସ୍ୟ ଜର୍ଜିୟା କୋନୋଲିଙ୍କୁ ରେସ୍ର ଆମ୍ବାସାଡର କରାଯାଇଛି । ଏଥର ଏହି ରେସିଂ ଇତିହାସରେ ପ୍ରଥମ ଥର ଲାଗି ୧୮ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଖାଲିଜା ମଲ୍ଲା ହିଜାବ ବୁର୍ଖା ପିନ୍ଧି ଭାଗ ନେବେ


