ଖୋଳାନାଳରେ ସେତୁ ପାଇଁ ଦାବିପତ୍ର
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବରାହନୂଆପଡା ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏକ ରାସ୍ତା ନିର୍ମାଣ ହୋଇସାରିଥିଲେ ସୁଦ୍ଧା ସ୍ଥାନୀୟ ଖୋଳାନାଳରେ ସେତୁ ନଥିବାରୁ ଲୋକମାନେ ଯାତାୟତ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରା ଆଠ ମାସ ଯେନତେନ ଉପାୟରେ ନିକଟ ପନିପରିବା ଚାଷ କିଆରି ପାଦଚଲା ରାସ୍ତାରେ ଯାତାୟତ କରୁଥିଲେ ସୁଦ୍ଧା ବର୍ଷା ଚାରିମାସ ଦୁଃଖ କହିଲେ ନସରେ । ୨୦୧୫-୧୬ମସିହାରେ ରାସ୍ତା ନିର୍ମାଣ ବେଳେ ପୋଲ ପାଇଁ ଗ୍ରାମବାସୀମାନେ ଦାବି କରିଥିଲେ ସୁଦ୍ଧା ଏହା କିନ୍ତୁ ସମ୍ଭବ ହୋଇପାରିନଥିଲା । ପ୍ରାୟ ଦୁଇକୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରି ଗାଁକୁ ସିନା ରାସ୍ତା ହେଲା ହେଲେ ପୋଲ ନଥିବାରୁ ତାହା ସମ୍ପୂର୍ଣ୍ଣ ଯାତାୟତ ଉପଯୋଗୀ ହୋଇପାରିଲା ନାହିଁ । ଏନେଇ ପୂର୍ବରୁ ଗ୍ରାମବାସୀ ମାନେ ଜିଲ୍ଲପାଳଙ୍କ ଠାରୁ ଆରମ୍ଭ କରି ସାଂସଦ, ବିଧାୟକ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କେହି ଶୁଣିନାହାଁନ୍ତି । ଗତ ଶନିବାର ଦିନ ମାଳଦା ନିକଟ ସର୍ତ୍ତାନାଳ ଉପରେ ସେତୁ ନିର୍ମାଣ ପାଇଁ ଭୂମିପୂଜା ହୋଇଥିବାବେଳେ ସେଠାରେ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରଫୁଲ୍ଲ ସାମଲ ଉପସ୍ଥିତ ଥିଲେ । ବରାହନୂଆପଡା ଗ୍ରାମବାସୀଙ୍କ ତରଫରୁ ପ୍ରଫୁଲ୍ଲ ନାୟକ, ମଦନମୋହନ ବେହୁରିଆ, ମହେନ୍ଦ୍ର ନାୟକ, ବନମାଳୀ ପୁହାଣ, ସନ୍ତୋଷ ପୁହାଣ, ସୁରେନ୍ଦ୍ର ଜେନା, ବିଶ୍ୱଜିତ ପୁହାଣ, ଦିଲ୍ଲୀପ ସାହୁ, ସୁବାଷ ପୁହାଣ ପ୍ରମୁଖ ପହଞ୍ଚି ଖୋଳା ନାଳ ଉପରେ ସେତୁ ନିର୍ମାଣ ପାଇଁ ଦୋହରା ଦାବି ଉପସ୍ଥାପନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।


